କ’ଣ ଏହି କଲ୍‌ ସେଣ୍ଟର ସ୍କାମ୍‌ ? ଯେଉଁଥିପାଇଁ ଭାରତୀୟଙ୍କୁ ଘୃଣା କରୁଛନ୍ତି ଆମେରିକୀୟ…

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ ୧୧।୦୮: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନକଲି କଲ୍ ସ୍କାମ୍‌ । ଏହି ସ୍କାମ୍ କେବଳ ଆର୍ଥିକ କ୍ଷତି କରୁଛି ତାନୁହେଁ ବରଂ ଆମେରିକାର କିଛି ଲୋକଙ୍କ ମନରେ ଭାରତୀୟମାନଙ୍କ ପ୍ରତି ନକାରାତ୍ମକ ଭାବନା ମଧ୍ୟ ସୃଷ୍ଟି କରୁଛି । ଆସନ୍ତୁ ଜାଣିବା କ’ଣ  ଏହି କଲ୍ ସେଣ୍ଟର ସ୍କାମ୍‌ ? ଏହାର ପ୍ରଭାବ କ’ଣ ଏବଂ ଏହା ଯୋଗୁଁ ଆମେରିକାର ଲୋକମାନେ ଭାରତୀୟମାନଙ୍କୁ କାହିଁକି କରୁଛନ୍ତି ଘୃଣା?

କଲ୍ ସେଣ୍ଟର ସ୍କାମ୍‌ ଏକ ପ୍ରକାରର ସାଇବର ଠକେଇ । ଯେଉଁଥିରେ ସାଇବରଠକ  ନକଲି କଲ୍ ସେଣ୍ଟର ତିଆରି କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି । ଏହି ଠକମାନେ ପ୍ରାୟତଃ ନିଜକୁ ବ୍ୟାଙ୍କ ଅଧିକାରୀ, ଟେକ୍ନୋଲୋଜି ସପୋର୍ଟ କର୍ମଚାରୀ କିମ୍ବା ସରକାରୀ ଏଜେଣ୍ଟ ଭାବରେ ପରିଚୟ ଦେଇ ଲୋକଙ୍କୁ ଫୋନ୍ କରନ୍ତି । ଏହି ଲୋକମାନେ ନକଲି କାହାଣୀ ତିଆରି କରନ୍ତି, ପୀଡିତମାନଙ୍କୁ ଡରାଇଥାନ୍ତି ଏବଂ କ୍ରେଡିଟ୍ କାର୍ଡ ଡିଟେଲ୍ସ, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ପାସୱାର୍ଡ ଡିଟେଲ୍ସ ପରି ସେମାନଙ୍କର ବ୍ୟକ୍ତିଗତ ସୂଚନା ହାସଲ କରନ୍ତି । ଅନେକ ସମୟରେ ପୀଡିତମାନଙ୍କୁ ଟଙ୍କା ସ୍ଥାନାନ୍ତର କରିବାକୁ କିମ୍ବା କ୍ରିପ୍ଟୋକରେନ୍ସିରେ ଇନଭେଷ୍ଟ କରିବାକୁ ବାଧ୍ୟ କରିଥାନ୍ତି ।  

ନିକଟରେ ଭାରତରେ ଏପରି ଅନେକ ନକଲି କଲ୍ ସେଣ୍ଟର ଧରାପଡ଼ିଛି । ଯାହା ଖାସ୍‌ କରି ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ କରିଥାଏ। ଏହି କଲ୍ ସେଣ୍ଟରଗୁଡ଼ିକ ମଧ୍ୟରୁ କିଛି ଆମେରିକୀୟମାନଙ୍କୁ ଟେକ୍ନିକାଲ୍‌ ସପୋର୍ଟ ନାଁରେ ଫୋନ୍ କରୁଥିଲେ ଏବଂ ସେମାନଙ୍କ କମ୍ପ୍ୟୁଟରରୁ ରିମୋଟ୍ ଆକ୍ସେସ୍ ନେଇ ଟଙ୍କା ଆଦାୟ କରୁଥିଲେ । କଲ୍ ସେଣ୍ଟରର ଲୋକମାନେ ବିଦେଶୀ ନାଗରିକଙ୍କ କମ୍ପ୍ୟୁଟରରେ ପପ୍-ଅପ୍ ପଠାଇ କହୁଥିଲେ ଯେ ଆପଣଙ୍କ କମ୍ପ୍ୟୁଟରରେ ଏକ ଭାଇରସ୍ ଲାଗିଛି । ଯାହା ଫଳରେ ଆପଣଙ୍କ କମ୍ପ୍ୟୁଟରକୁ ହ୍ୟାକ୍ କରାଯାଇପାରେ ଏବଂ ନିଜକୁ ମାଇକ୍ରୋସଫ୍ଟ ଟେକ୍ନିକାଲ୍‌ ସପୋର୍ଟ ବୋଲି କହି ଠକି ନେଇଥାନ୍ତି । 

ଏବେ ପ୍ରଶ୍ନ ଆସୁଛି ଏହି ଠକମାନେ କିପରି କାମ କରନ୍ତି ? ଠକମାନେ ବେଆଇନ ଭାବରେ ଡାଟା କିଣନ୍ତି, ଯେଉଁଥିରେ ଲୋକଙ୍କ ଫୋନ୍ ନମ୍ବର ଏବଂ କ୍ରେଡିଟ୍ କାର୍ଡ ସୂଚନା ରହିଥାଏ । ପୀଡିତମାନଙ୍କୁ କୁହାଯାଏ ଯେ ସେମାନଙ୍କ ଆକାଉଣ୍ଟରେ ଏକ ସନ୍ଦେହଜନକ କାରବାର ହୋଇଛି କିମ୍ବା ସେମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି । ଯାହା ଦ୍ୱାରା ସେମାନେ ଭୟଭୀତ ହୋଇଯାଆନ୍ତି । ପୀଡିତମାନଙ୍କୁ ଟଙ୍କା ସ୍ଥାନାନ୍ତର କରିବାକୁ, ଗିଫ୍ଟ କାର୍ଡ କିଣିବାକୁ କିମ୍ବା କ୍ରିପ୍ଟୋକରେନ୍ସିରେ ଇନଭେଷ୍ଟ କରିବାକୁ ବାଧ୍ୟ କରାଯାଏ।

ଏହି ସ୍କାମ କାରଣରୁ ଆମେରିକାର କିଛି ଲୋକ ଭାରତୀୟମାନଙ୍କୁ ଦାୟୀ କରିବା ଆରମ୍ଭ କରିଛନ୍ତି । ଉଦାହରଣ ସ୍ୱରୂପ ଏକ CBI ତଦନ୍ତରୁ ଜଣାପଡିଛି ଯେ ଅହମ୍ମଦାବାଦ, ପୁଣେ ଏବଂ ବିଶାଖାପାଟନମ୍ ଭଳି ସହରରେ କାର୍ଯ୍ୟ କରୁଥିବା କଲ୍ ସେଣ୍ଟରଗୁଡ଼ିକ ଆମେରିକୀୟ ନାଗରିକମାନଙ୍କଠାରୁ ଲକ୍ଷ ଲକ୍ଷ ଡଲାର ନେଇ ଠକେଇ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.