ବେଙ୍ଗାଲୁରୁ: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ ଚୋରି ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗତ କିଛି ଦିନ ଧରି ଏହି ପ୍ରସଙ୍ଗ ସାରା ଦେଶରେ ଚର୍ଚ୍ଚାରେ ରହିଛି । ରାହୁଲ ଅଭିଯୋଗ କରିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କମିଶନ ବିଜେପି ପାଇଁ ଭୋଟ 'ଚୋରି' କରିଥିଲେ । ନିର୍ବାଚନ କମିଶନ ଏ ସମ୍ପର୍କରେ ରାହୁଲଙ୍କୁ ନୋଟିସ ପଠାଇଥିଲେ । ତେବେ ଏସବୁ ଭିତରେ କର୍ଣ୍ଣାଟକ କଂଗ୍ରେସ ସରକାରେ ମନ୍ତ୍ରୀ ଏନ ରାଜନ୍ନା ରାହୁଲଙ୍କୁ ଆଇନା ଦେଖାଇ କହିଥିଲେ ଯେ କଂଗ୍ରେସ ଶାସନ ସମୟରେ ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିଲା । ଏବେ ଏହି ଘଟଣାରେ ମନ୍ତ୍ରୀ ରାଜନ୍ନାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମନ୍ତ୍ରୀ ରାଜନ୍ନାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।
ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ୍.ରାଜନ୍ନା କହିଥିଲେ, "ଯଦି ଆମେ ଏପରି ବିଷୟରେ ଏପରି କଥା କହିବା ଆରମ୍ଭ କରିବା, ତେବେ ଭିନ୍ନ ମତ ପ୍ରକାଶ ପାଇବ । ଭୋଟର ତାଲିକା କେବେ ପ୍ରସ୍ତୁତ ହୋଇଥିଲା ? ଆମ ନିଜ ସରକାର କ୍ଷମତାରେ ଥିବା ସମୟରେ ଏହା ପ୍ରସ୍ତୁତ ହୋଇଥିଲା । ସେତେବେଳେ ସମସ୍ତେ ଆଖି ବନ୍ଦ କରି ଚୁପ୍ ବସିଥିଲେ କି ? ଏହି ଅନିୟମିତତା ଘଟିଥିଲା । ଏହା ସତ୍ୟ । ଏଥିରେ କିଛି ମିଥ୍ୟା ନାହିଁ । ଏହି ଅନିୟମିତତା ଆମ ଆଖି ସାମ୍ନାରେ ଘଟିଥିଲା, ଆମକୁ ଲଜ୍ଜିତ ହେବା ଉଚିତ । ଆମେ ସେତେବେଳେ ଏଥିପ୍ରତି ଧ୍ୟାନ ଦେଇନଥିଲୁ । ତେଣୁ ଆମକୁ ଭବିଷ୍ୟତରେ ସତର୍କ ରହିବାକୁ ପଡିବ ।"
ଏନ୍ ରାଜନ୍ନା ଆହୁରି କହିଛନ୍ତି, "ମହାଦେବପୁରାରେ ସତରେ ଜାଲିଆତି ହୋଇଥିଲା । ଜଣେ ବ୍ୟକ୍ତି ତିନୋଟି ଭିନ୍ନ ସ୍ଥାନରେ ପଞ୍ଜୀକୃତ ହୋଇଥିଲେ ଏବଂ ତିନୋଟି ସ୍ଥାନରେ ଭୋଟ ଦେଇଥିଲେ । କିନ୍ତୁ ଯେତେବେଳେ ଭୋଟର ତାଲିକା ପ୍ରସ୍ତୁତ ହେଉଛି, ଆମକୁ ଏହା ଉପରେ ନଜର ରଖିବାକୁ ପଡିବ, ଠିକ୍ ନା ? ଯେତେବେଳେ ଭୋଟର ତାଲିକା ପ୍ରସ୍ତୁତ ହେଉଛି, ଆମକୁ ଆପତ୍ତି ଦାଖଲ କରିବାକୁ ପଡିବ, ଏହା ଆମର ଦାୟିତ୍ୱ । ସେତେବେଳେ ଆମେ ନୀରବ ରହିଥିଲୁ ଏବଂ ଏବେ ଆମେ କହୁଛୁ ।"
Over his statement on Rahul Gandhi's allegations against EC, Karnataka Minister K N Rajanna says, "Look, if we just start talking about such things casually, there will be different opinions. When was the voter list prepared? It was prepared when our own government was in power.… pic.twitter.com/i8W80aAJvr
— ANI (@ANI) August 11, 2025
ସେପଟେ ରାଜନ୍ନାଙ୍କ ଇସ୍ତଫା ଉପରେ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ନକଲି ଭୋଟ୍ ଚୋରି ଅଭିଯାନକୁ ଆଉ ଏକ ଝଟକା ଦେଇ, କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ.ଏନ୍. ରାଜନ୍ନା ସ୍ୱୀକାର କରିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିଲା । ସେ ଏହା ମଧ୍ୟ ପଚାରିଥିଲେ ଯେ କଂଗ୍ରେସ ଶାସନରେ ଏହି ତାଲିକା ପ୍ରସ୍ତୁତ ହେବା ସମୟରେ କେହି କାହିଁକି ସ୍ୱର ଉଠାଇ ନଥିଲେ । ରାହୁଲ ଗାନ୍ଧୀଙ୍କୁ ଆଇନା ଦେଖାଇଥିବା କାରଣରୁ ରାଜନ୍ନାଙ୍କୁ ଏବେ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି।"