ବାଲିଯାତ୍ରା ୨୦୨୫
LIVE TV

ସୁରକ୍ଷା କାରଣରୁ ପାକିସ୍ତାନରେ ‘ଜାଫର ଏକ୍ସପ୍ରେସ୍’ ବାତିଲ, ହଜାର ହଜାର ଯାତ୍ରୀ ପ୍ରଭାବିତ

NEWS7
what-happened-ipl-star-vaibhav-suryavanshi-leaving-bihar-read-the-explosive

କ୍ୱେଟା ୯।୧୧: ଗଣମାଧ୍ୟମ ରିପୋର୍ଟ ଅନୁସାରେ ବଲୁଚିସ୍ତାନରେ ଗୁରୁତର ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ପାକିସ୍ତାନ ରେଲୱେ ରବିବାରଠାରୁ ୪ ଦିନ ନିମନ୍ତେ କ୍ୱେଟା-ପେଶାବର ମଧ୍ୟରେ ଚାଲୁଥିବା ‘ଜାଫର ଏକ୍ସପ୍ରେସ୍’କୁ ବାତିଲ କରିଦେଇଛି। ଏହି ଅସ୍ଥାୟୀ ନିଲମ୍ବନ ୯-୧୨ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ହୋଇଛି। ଗତବର୍ଷ ଟ୍ରେନ ଉପରେ ହୋଇଥିବା ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ଗତ ମାର୍ଚ୍ଚମାସରେ ହୋଇଥିବା ନାଟକୀୟ ଅପହରଣ ମଧ୍ୟ ସାମିଲ। ଏହି ଘଟଣାରେ ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ରେଳ ଧାରଣା, ରଳବାଇ ସମ୍ପତ୍ତି ଓ ଯାତ୍ରୀଙ୍କୁ ଟାର୍ଗେଟ କରି ସମ୍ଭାବିତ ଆକ୍ରମଣ ନେଇ ତାଜା ଗୁଇନ୍ଦା ସୂଚନା ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନର ସବୁଠୁ ବ୍ୟସ୍ତ ଓ ଦୂରଗାମୀ ଟ୍ରେନ ମଧ୍ୟରେ ଜାଫର ଏକ୍ସପ୍ରେସ୍ ଅନ୍ୟତମ, ଯାହା ସଡ଼କ ଯାତ୍ରା ତୁଳନାରେ ସ୍ୱଳ୍ପ ବ୍ୟୟରେ ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି। ତେବେ ରେଳବାଇ ସେବା ବାତିଲ କରିବା ଯୋଗୁ ସ୍ଥାନୀୟ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଟ୍ରେନ ବାତିଲ ହେବା ପରେ ବଲୁଚିସ୍ତାନ ଓ ଖୈବରପୁକ୍ତନଖ୍ୱା ଲୋକଙ୍କ ନିମନ୍ତେ ପରିବହନର ଅନ୍ୟ କୌଣସି ଶସ୍ତା ବିକଳ୍ପ ନାହିଁ।

ଗତ ୧ ବର୍ଷରେ ଜାଫର ଏକ୍ସପ୍ରେସକୁ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ବାରମ୍ବାର ଟାର୍ଗେଟ୍ କରିଛି। ଗତ ମାର୍ଚ୍ଚ ମାସରେ ବିଏଲଏ ଉଗ୍ରପନ୍ଥୀମାନେ ୩୮୦ ଯାତ୍ରୀଙ୍କ ସହ ଟ୍ରେନକୁ ଅପହରଣ କରିନେଇଥିଲେ। ଟ୍ରେନକୁ ସେମାନେ ଏକ ପାହାଡ ସୁଡ଼ଙ୍ଗରେ ଅଟକାଇ ରଖିବା ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ଏହି ଅପହରଣ କାଳରେ ବିଏଲଏ ବିଦ୍ରୋହୀମାନେ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଟ୍ରେନକୁ ଉଦ୍ଧାର କରିବା ପାଇଁ ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ବିଏଲଏର ୩୩ଜଣ ଉଗ୍ରବାଦୀ ପ୍ରାଣ ହରାଇଥିଲେ।

ପାକିସ୍ତାନ ରେଳବାଇ ଏହି ନିଲମ୍ବନ ନିଷ୍ପତ୍ତି  ଏପରି ସମୟରେ ନେଇଛି ଯେତେବେଳେ ପାକିସ୍ତାନ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ବଲୁଚିସ୍ତାନରେ ନା କେବଳ ବିଏଲଏ ଗତିବିଦ୍ଧି ବଢାଇଛି ଦେଶରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି), ଇସ୍ଲାମିକ୍ ଷ୍ଟେଟ୍ ଖୁରାସନ (ଆଇଏସକେ) ଓ ସୀମା ସେପାଖରୁ ହେଉଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟ ବଢିକି ରହିଛି।ବୈଶ୍ୱିକ ଆତଙ୍କବାଦ ସୂଚକାଙ୍କ ଅନୁସାରେ ୨୦୨୫ରେ ପାକିସ୍ତାନରେ ଆତଙ୍କବାଦ ସମ୍ପର୍କିତ ମୃତ୍ୟୁ ହାର ୪୫% ବଢିଛି। ଏଥିରେ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଦେଶ ଏବେ ୪ଟି ମୋର୍ଚ୍ଚା ପ୍ରାନ୍ତୀୟ, ସାମ୍ପ୍ରଦାୟୀକ ଓ ସୀମା ସେପାଖରୁ ବ୍ୟାପିଥିବା ବିଦ୍ରୋହୀ ନେଟୱାର୍କ ଆଡୁ ଘେରି ରହିଛି।

ସମସ୍ୟାର ସମାଧାନ ପାଇଁ କୂଟନୈତିକ ପ୍ରୟାସରୁ କୌଣସି ସୁଫଳ ମିଳୁ ନାହିଁ। ଗତ ସପ୍ତାହରେ ଇସ୍ତାନାବୁଲରେ ଆଫଗାନିସ୍ତାନ ସହିତ ଶାନ୍ତିବାର୍ତ୍ତା ବିନା କୌଣସି ପରିଣାମରେ ଶେଷ ହୋଇଛି। ଏହି ବାର୍ତ୍ତା ବିଫଳ ହୋଇଥିବା ବେଳେ ଯୁଦ୍ଧବିରାମ ଉଲ୍ଲଂଘନ ପାଇଁ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେଉଛନ୍ତି। ଟିଟିପି ଫାଇଟରଙ୍କୁ କାବୁଲ ଶରଣ ଦେଇ ରଖିଥିବାର ପାକିସ୍ତାନ ଅଭିଯୋଗ କରୁଛି। ତେବେ ତାଲିବାନ ଏପରି ଅଭିଯୋଗକୁ ଖଣ୍ଡନ କରୁଛି।