ଭୁବନେଶ୍ୱର ୨୭।୦୭ : ବର୍ଷା ପ୍ରକୋପ କମିଛି । ଏବେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ। ରବିବାର ଠାରୁ ବର୍ଷା ପରିମାଣ କମିବ। ସୋମବାର ଆହୁରି କମିପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।
ଅବପାତ ଉତ୍ତର ଛତିଶଗଡ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଥିଲା। ଏହା ପଶ୍ଚିମ ଦିଗରେ ଗତି କରିବ। ସାମାନ୍ୟ ଦୁର୍ବଳ ହୋଇ ରବିବାର ସକାଳକୁ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ ମଧ୍ୟପ୍ରଦେଶ ଉପରେ ଥିବ। ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ବର୍ଷା ନାହିଁ ।
ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ପବନ ହୋଇପାରେ ।
ସୋମବାର (୨୮ ତାରିଖ)ଠାରୁ ବର୍ଷା ଅଳ୍ପ କିଛି ଅଞ୍ଚଳରେ ହେବ। ୨୯ରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ। ୩୦ ଓ ୩୧ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୩୧ରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ ପହିଲାରେ ବର୍ଷା ଆହୁରି କମିଯିବ।
ଗତ ୨୪ ଘଣ୍ଟା ଭିତରେ ବୈତରଣୀ ଅବବାହିକାର ଚମ୍ପୁଆରେ ୯୭ ମିଲିମିଟର, ଝୁମ୍ପୁରାରେ ୭୧.୮, କରଞ୍ଜିଆରେ ୯୨.୩, ଯଶିପୁରରେ ୫୮.୨, କପ୍ତିପଦାରେ ୧୧୭, ସ୍ୱାମପାଟଣାରେ ୭୬.୪, ଶୁକ୍ରୁଳିରେ ୧୧୨, ରାଁରୁଆରେ ୧୨୦ ମିମି ବର୍ଷା ହୋଇଛି । ସୁବର୍ଣ୍ଣରେଖା ଅବବାହିକାର ଘାଟଶିଳାରେ ୧୨୦ ମିମି, ତିରିଂରେ ୧୨୧, ରାଇରଙ୍ଗପୁରରେ ୧୦୦.୮, କୁସୁମିରେ ୧୩୧, ଜାମଦାରେ ୧୫୮, ବହଳଦାରେ ୧୭୩ ମିମି ବର୍ଷା ସକାଳ ୮ଟା ୩୦ ସୁଦ୍ଧା ହୋଇଥିଲା । ବୁଢ଼ାବଳଙ୍ଗ ଅବବାହିକାର ବାରିପଦାରେ ୧୬୩, ମୋରଡ଼ାରେ ୧୮୨, ଶ୍ୟାମଖୁଣ୍ଟାରେ ୧୦୦ ମିମି ବର୍ଷା ହୋଇଛି । ମହାନଦୀ ତଳମୁଣ୍ଡରେ ଝାରବନ୍ଧରେ ୧୦୨ ମିମି ଓ ବଲାଙ୍ଗିରରେ ୬୩ ମିମି ବର୍ଷା ହୋଇଥିଲା । ଆଜି ଦିନରେ ବଡ଼ ବର୍ଷା ବିଶେଷ ହୋଇନାହିଁ ।