ଅରୁଣଙ୍କ ତେରଛା ବାଣ : ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ଆଲୋଚନା ପାଇଁ ବିଜେଡ଼ି ପ୍ରସ୍ତୁତ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ବର ୨୬।୭: ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସାହୁ । ସେ କହିଛନ୍ତି, ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି । କାରଣ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବ୍ୟାକ୍‌ ଫୁଟ୍‌ରେ । ବିଧାନସଭା ଅଧିବେଶନ ଡାକନ୍ତୁ । ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ବିଷୟରେ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ ବୋଲି ଅରୁଣ ସାହୁ କହିଛନ୍ତି । ମାତ୍ର ବିଜେଡି ଅନାସ୍ଥା ଆଣିବ କି କଂଗ୍ରେସକୁ ଏନେଇ ସମର୍ଥନ ଦେବ କିଛି ସ୍ପଷ୍ଟ କଲେଣି ।

ଗତ କିଛି ଦିନ ହେବ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ ଆମେ ତାକୁ ସମର୍ଥନ କରିବୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ । ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ରଣହୁଙ୍କାର ଦେଇଥିଲେ ପିସିସି ସଭାପତି । ଭକ୍ତ କହିଥିଲେ, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ । ବିଜେଡି ମୁଖ୍ୟ ବିରୋଧୀ ଦଳ । ତାଙ୍କ ପାଖରେ ସଂଖ୍ୟା ରହିଛି । ବିଜେଡି ଯଦି ପ୍ରକୃତରେ ନାରୀକୁ ନ୍ୟାୟ ଦେବା ପାଇଁ ଆନ୍ତରିକତାର ସହ ଲଢ଼ୁଛି ଏବଂ ଏ ସରକାରକୁ ହଟାଇବାକୁ ଚାହୁଁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ଆଣୁ ଦଳ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି କହିଥିଲେ ଭକ୍ତ ଦାସ ।

ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଥିଲେ, ସରକାର ଏବେ ଚାପରେ ଅଛନ୍ତି । ସେଥିପାଇଁ ମୌସୁମୀ ଅଧିବେଶନ ବି ଡାକୁ ନାହାନ୍ତି  । ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ । ଅନାସ୍ଥା ପ୍ରସ୍ତାବରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

ସମଦୂରତା ବିଜେଡିର ପଲିସି ରହିଛି । ବିଜେଡି ଆଗକୁ ବିଧାନସଭାରେ ବି ବିରୋଧ କରିବ । ଆଗରୁ ବିଜେଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିଲା, ତାହା କେବଳ ରାଜ୍ୟ ସ୍ୱାର୍ଥରେ ହେଉଥିଲା ।  କିନ୍ତୁ ମହିଳା ପ୍ରସଙ୍ଗରେ ବିଜେଡ଼ି ବିରୋଧ କରୁଛି ବୋଲି ଭୂପିନ୍ଦର ସିଂ କହିଥିଲେ ।

You Can Read:

ବଳଙ୍ଗା ପୀଡ଼ିତାଙ୍କର ଦୁଇ ଥର ହୋଇଛି ସ୍କିନ୍ ଗ୍ରାଫ୍ଟିଙ୍ଗ, ଏମ୍ସରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଉପ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.