ବିହାର ୨୬/୦୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍ସନ୍ । ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ । ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି ସେବା କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କରାଯାଇଛି ବୋଲି ନୀତିଶ କହିଛନ୍ତି ।
ସୂଚନା ଥାଉକି, ବିହାର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ବରିଷ୍ଠ ସାମ୍ବାଦିକମାନଙ୍କୁ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବା । ଦୀର୍ଘବର୍ଷ ଧରି ଗଣତନ୍ତ୍ରର ରକ୍ଷା କରୁଥିବା ସାମ୍ବାଦିକମାନେ ଏହି ଯୋଜନାର ଲାଭ ପାଇବେ । ସାମ୍ବାଦିକଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି କୁହାଯାଇଛି ।
ଖାଲି ଏତିକି ନୁହେଁ ବରଂ ଯଦି ଜଣେ ପେନସନଭୋଗୀ ସାମ୍ବାଦିକଙ୍କର ଦେହାନ୍ତ ହୁଏ, ତେବେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନସନ ଭାବରେ ମାସିକ ୧୦ ହଜାର ଟଙ୍କା ପେନ୍ସନ୍ ମିଳିବ । ତେବେ ଲାଭ ପାଇବା ପାଇଁ ସରକାର କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଆବେଦନକାରୀ ସାମ୍ବାଦିକଙ୍କର କୌଣସି ସମ୍ବାଦପତ୍ର କିମ୍ବା ଟିଭି ଚ୍ୟାନେଲରେ ଅତି କମରେ ୧୫ ବର୍ଷରୁ ଅଧିକ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୬୦ ବର୍ଷ ବା ତାହାଠୁ ଅଧିକ ହୋଇଥିବା ଆବଶ୍ୟକ ।
ଏହାସହ ବିହାରର ସ୍ଥାୟୀ ବାସିନ୍ଦା ହୋଇଥିବା ବାଧ୍ୟତାମୂଳକ । ଯେଉଁ ସାମ୍ବାଦିକମାନେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) କିମ୍ବା ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରୁ ଲାଭ ପାଉଛନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଆବେଦନକାରୀ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିବା ଆବଶ୍ୟକ ।
ସାମ୍ବାଦିକଙ୍କ ପାଇଁ ପୂର୍ବରୁ ଯୋଜନା ହୋଇଥିଲା । ହେଲେ ଏବେ ସେଥିରେ ସଂଶୋଧନ କରାଯାଇଛି । କାରଣ ପୂର୍ବରୁ ଯେଉଁ ଯୋଜନା ହୋଇଥିଲା ସେଥିରେ ଅନେକ ସାମ୍ବାଦିକମାନେ ଯୋଜନାର ଲାଭ ପାଉନଥିଲେ । ହେଲେ ନୂଆ ଯୋଜନାରେ ସବୁ ଯୋଗ୍ୟ ସାମ୍ବାଦିକ ଲାଭ ପାଇବେ ବୋଲି ସରକାର ଆଶା ରଖିଛନ୍ତି ।