ଶେଷରେ ଆମେ ଏକାଠି ହେବୁ, ଭାରତ ଉପରେ ୫୦% ଟାରିଫ୍ ଲଗାଇଥିବା ଆମେରିକାର ବଦଳିଲା ସ୍ୱର

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଟାରିଫ୍ ବୁଧବାରରୁ ପ୍ରଭାବୀ ହୋଇଛି । ଯେଉଁଥି ପାଇଁ ଭାରତ ଓ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଏହାରି ଭିତରେ ଆମେରିକାର ସ୍ୱର ବଦଳିବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ତଥା ଦେଶର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସେ ଆଶା ବ୍ୟକ୍ତ କରିଛନ୍ତି ଯେ ଶେଷରେ ଆମେରିକା ଓ ଭାରତ ଉଭୟ ଏକାଠି ହେବେ । ଏହାସହ ସେ ତର୍କ ଦେଇଛନ୍ତି ଯେ ଏହି ଟାରିଫ୍ କେବଳ ରୁଷ କିଣିବା କାରଣର ନୁହେଁ, ବରଂ ବାଣିଜ୍ୟ ବୁଝାମଣା ପାଇଁ ଚାଲିଥିବା ଆଲୋଚନା କେତେ ଦୀର୍ଘ ଦିନ ଚାଲୁଛି ତାହା ଉପରେ ବି ନିର୍ଭର କରୁଛି । 

ରୁଷଠାରୁ ଅଶୋଧିତ ତୈଳ କିଣିବା ଉପରେ ଅତିରିକ୍ତ ଦଣ୍ଡାତ୍ମକ ଭାବେ ୨୫ ପ୍ରତିଶତ ଲାଗୁ ହେବାର କିଛି ଘଣ୍ଟା ପରେ ଆମେରିକା ବାଣିଜ୍ୟ ମନ୍ତ୍ରୀଙ୍କ ଏହି ବୟାନ ଆସିଛି । ଫକ୍ସ ବିଜନେସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମେ କିମ୍ୱା ଜୁନ୍ ସୁଦ୍ଧା ଆମେ କୌଣସି ବୁଝାମଣାରେ ପହଞ୍ଚି ପାରିବୁ ବୋଲି ମୁଁ ଆଶା ରଖିଥିଲି । ବୁଝାମଣା କରିବାକୁ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରଥମେ ହୋଇପାରେ ବୋଲି ଭାବୁଥିଲି । ଭାରତ ଆଲୋଚନା ପାଇଁ ନିଜ ଦ୍ୱାର ଖୋଲା ରଖିଛି, କିନ୍ତୁ କୃଷି ଓ କ୍ଷୁଦ୍ର ରପ୍ତାନୀ ପରି କ୍ଷେତ୍ରରେ କିଛି ସୀମା ରେଖା ରହିଛି ।

ବେସେଣ୍ଟ କହିଛନ୍ତି, ଭାରତ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର । ଆମେରିକା ଦୁନିଆର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା । ମୁଁ ଅନୁଭବ କରୁଛି ଯେ ଅନ୍ତତଃ ଶେଷରେ ଆମେ ଏକାଠି ହେବୁ । ଆମେରିକାର ଅର୍ଥମନ୍ତ୍ରୀ ଭାରତର ଯୁକ୍ତିକୁ ମଧ୍ୟ ଖଣ୍ଡନ କରିଛନ୍ତି, ଯେଉଁଥିରେ ରୁଷଠାରୁ ଅନ୍ୟ ଦେଶ ତେଲ କିଣୁଥିବା କୁହାଯାଇଥିଲା । ବେସେଣ୍ଟ କହିଛନ୍ତି, ଏହା ଏକ ଜଟିଳ ପ୍ରକ୍ରିୟା । ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ।

ସେପଟେ ସରକାରୀ ସୂତ୍ର ଅନୁସାରେ ଭାରତ ଓ ଆମେରିକା ମଧ୍ୟରେ ଟାରିଫ୍ ବିବାଦ ଉପରେ ଆଲୋଚନାର ରାସ୍ତା ଖୋଲା ରହିଛି । ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିବ । ଆମେରିକା ସରକାର ବୁଧବାର କିଛି କ୍ଷେତ୍ରକୁ ଛାଡ଼ି ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଆଦାୟ କରିବା ଆରମ୍ଭ କରିଛି । ବିଶେଷଜ୍ଞଙ୍କ ମତରେ ଭାରତୀୟ ରପ୍ତାନୀ ବିବିଧତାକୁ ଦେଖିଲେ କ୍ଷତିର ଯେଉଁ ଆଶଂକା କରାଯାଉଛି ସେହି ପରିମାଣର ପ୍ରଭାବ ସମ୍ଭାବନା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.