‘ଭେନେଜୁଏଲା ଭଳି, କ’ଣ ଟ୍ରମ୍ପ ଆମ ପିଏମଙ୍କୁ ଅପହରଣ କରିନେବେ ?’: ପୃଥ୍ୱୀରାଜ ଚୌହାନଙ୍କ ମନ୍ତବ୍ୟକୁ ନେଇ ବିବାଦ

NEWS7
waqf-amendment-act--supreme-court-posts-the-matter-for-hearing-on-may-15

ମୁମ୍ବାଇ: ସମଗ୍ର ବିଶ୍ୱ ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ଆଶ୍ଚର୍ଯ୍ୟ । ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ସୁରକ୍ଷା ବାହିନୀ ଭେନେଜୁଏଲାକୁ ଯାଇ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲେ । ତା'ପରେ ସେମାନଙ୍କୁ ଆମେରିକାକୁ ଅଣାଯାଇଥିଲା, ଯେଉଁଠାରେ ସେମାନେ ଏବେ ନାର୍କୋ-ଆତଙ୍କବାଦ ଅଭିଯୋଗରେ ବିଚାରର ସମ୍ମୁଖୀନ ହେଉଛନ୍ତି। ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ, ଚୀନ୍, ଭାରତ, କ୍ୟୁବା ଏବଂ କଲୋମ୍ବିଆ ସମେତ ଅନେକ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଶାସନର ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟାନୁଷ୍ଠାନ ଉପରେ ବିତର୍କ ଜାରି ରହିଛି। ଏହି ସମୟରେ, ଭାରତର ଜଣେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ନୂଆ ବିବାଦ ସୃଷ୍ଟି କରିଛି ।

ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ କହିଛନ୍ତି, ‘ପ୍ରଶ୍ନ ହେଉଛି, ଭେନେଜୁଏଲାରେ ଯାହା ଘଟିଥିଲା ସେପରି କିଛି ଭାରତରେ ଘଟିବ କି ? ଟ୍ରମ୍ପ କ'ଣ ଆମର ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରି ନେଇଯିବେ ? ଏବେ କେବଳ ଏତିକି ବାକି ଅଛି।’

ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ଶହଜାଦ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ଖରାପ ମାନସିକତା ଶୀର୍ଷରେ ପହଞ୍ଚିଛି। ଅପରେସନ ସିନ୍ଦୁର, ଅପରେସନ ମହାଦେବ, ଶରଜିଲ ଇମାମ ଏବଂ ଉମର ଖାଲିଦ ଉପରେ କଂଗ୍ରେସ ନେତାଙ୍କ ବୟାନକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅପହରଣ ସମ୍ପର୍କରେ ବୟାନ ସେମାନଙ୍କର ହୀନମନ୍ୟତାକୁ ପ୍ରତିଫଳିତ କରୁଛି ।

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ କହିଛନ୍ତି, ‘୫୦ ପ୍ରତିଶତ ଶୁଳ୍କ ସହିତ ବ୍ୟବସାୟ କରିବା ଅସମ୍ଭବ। ବାସ୍ତବରେ, ଏହା ଭାରତ-ଆମେରିକା ବାଣିଜ୍ୟକୁ, ବିଶେଷକରି ଭାରତରୁ ଆମେରିକାକୁ ରପ୍ତାନି ଅବରୋଧ କରିବା ସହିତ ସମାନ। ଯେହେତୁ ସିଧାସଳଖ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ, ତେଣୁ ବାଣିଜ୍ୟ ବନ୍ଦ କରିବା ପାଇଁ ଶୁଳ୍କ ବ୍ୟବହାର କରାଯାଇଛି। ଭାରତକୁ ଏହାର କ୍ଷତି ସହିବାକୁ ପଡିବ।’

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆମର ଲୋକମାନେ ପୂର୍ବରୁ ଆମେରିକାକୁ ରପ୍ତାନିରୁ ଯେଉଁ ଲାଭ ପାଉଥିଲେ ତାହା ଆଉ ପାଇବେ ନାହିଁ। ଆମକୁ ବିକଳ୍ପ ବଜାର ଖୋଜିବାକୁ ପଡିବ ଏବଂ ଏ ଦିଗରେ ପ୍ରୟାସ ଆରମ୍ଭ ହୋଇଯାଇଛି । ତେଣୁ ପ୍ରଶ୍ନ ହେଉଛି: ଆଗକୁ କ'ଣ ହେବ ? ଭାରତରେ ଭେନେଜୁଏଲାର ପରି ପରିସ୍ଥିତି ଘଟିବ କି ? ଟ୍ରମ୍ପ କ'ଣ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିନେବେ ?’