କାର ପାଲଟିଲା ପୋଲିଂ ବୁଥ, Video ଭାଇରାଲ

Published By : Prameya-News7 Bureau | May 03, 2024 IST

କେମ୍ବ୍ରିଜ ୩।୫:  କେମ୍ବ୍ରିଜ ସିଟି କାଉନସିଲ ନିର୍ବାଚନରେ ଗୁରୁବାର ଅଭୂତ ପୂର୍ବ ଦୃଶ୍ୟ ଦେଖାଯାଇଛି। ନିର୍ଦ୍ଧାରିତ ସମୟରେ ଭୋଟ ଦେବାକୁ ପହଞ୍ଚିଥିବା ମତଦାତାଙ୍କୁ ଅପେକ୍ଷା ନ କରାଇବା ପାଇଁ ନିର୍ବାଚନ କର୍ମଚାରୀମାନେ ଏକ କାରକୁ ପୋଲିଂ ବୁଥରେ ରୂପାନ୍ତରିତ କରିଥିଲେ। କାର ପଛପାଖ ବୁଟ୍ ମତଦାନ ବଖରା ପାଲଟିଥିବା ବେଳେ କାର ଝରକା କାଚରେ ପ୍ରାର୍ଥୀଙ୍କ ସୂଚନା ଟଙ୍ଗା ଯାଇଥିଲା। ଏହି ମତଦାନ କେନ୍ଦ୍ରର ଫଟୋ ‘ଏକ୍ସ’ରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଯାଇଛି। 

କେମ୍ବ୍ରିଜ ସିଟି କାଉନସିଲ ନିର୍ବାଚନ  ନିମନ୍ତେ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ୩୯ଟି ମତଦାନ କେନ୍ଦ୍ର ସ୍ଥାପିତ ହୋଇଥିଲା। ଏଥିରୁ ମିଲ୍ଟନ ରୋଡ ଲାଇବ୍ରେରୀ ମଧ୍ୟ ଗୋଟିଏ ମତଦାନ କେନ୍ଦ୍ର ଥିଲା। ମତଦାନ ସମୟ ପୂର୍ବାହ୍ନ ୭ଟାରେ ସ୍ଥିର ହୋଇଥିବା ବେଳେ ମିଲ୍ଟନ ରୋଡଲାଇବ୍ରେରୀର ଯେଉଁ କକ୍ଷକୁ ମତଦାନ କେନ୍ଦ୍ର କରାଯାଇଥିଲା ତାହା ଖୋଲି ନଥିଲା। ଏଣୁ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀମାନେ ପ୍ରଥମେ ପହଞ୍ଚିଥିବା ମତଦାତାଙ୍କୁ ଅପେକ୍ଷା ନ କରାଇ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ କରିଦେଇଥିଲେ। 


କେମ୍ବ୍ରିଜ ଇଲେକ୍ଟୋରାଲ ସର୍ଭିସେସ୍ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଗ୍ରେ ରଙ୍ଗର କାର ବୁଟରେ ମତଦାନ କେନ୍ଦ୍ର ଚାଲିଥିବାର ଫଟୋ ପୋଷ୍ଟ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ମତଦାତାଙ୍କୁ କାର ପଛପଟେ ମତଦାନ କରୁଥିବାର ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ମତଦାନ କରିବା ପାଇଁ ବିଲ୍ଡିଂରେ ପ୍ରବେଶ ଲାଗି ଅସୁବିଧା ହେଉଥିଲା। ଆଶା କରୁଛୁ ଆମେ ଖୁବ୍ ଶୀଘ୍ର ମତଦାନ କେନ୍ଦ୍ରରେ ମତଦାନ କରିବା। ତେବେ ବର୍ତ୍ତମାନ ପାଇଁ ଅସ୍ଥାୟୀ ମତଦାନ କେନ୍ଦ୍ର ପ୍ରଥମେ ଆସିଥିବା ମତଦାତାଙ୍କୁ ବେଶ ସହାୟତା କରିଛି। 


କେମ୍ବ୍ରିଜ ସିଟି କାଉନସିଲ ମୁଖପାତ୍ର କହିଛନ୍ତି ଯେ ମିଲ୍ଟନ ରୋଡ ଲାଇବ୍ରେରୀକୁ ମତଦାନ କେନ୍ଦ୍ର କରାଯାଇଥିଲା। ସେହି ଅନୁସାରେ ମତଦାନ କର୍ମଚାରୀମାନେ ପୂର୍ବରୁ ପହଞ୍ଚିସାରିଥିଲେ ମଧ୍ୟ ମତଦାନ କେନ୍ଦ୍ର ଖୋଲିବାକୁ ଅସୁବିଧା ହୋଇଥିଲା। ଦ୍ୱାର କୋଡ ଓ ଚାବି ରଖିଥିବା ଲୋକଙ୍କ ସହ ସମ୍ପର୍କ ହୋଇ ପାରୁନଥିଲା। ତେଣେ ମତଦାନ କେନ୍ଦ୍ରକୁ ମତଦାତା ପହଞ୍ଚିବା ଆରମ୍ଭ କରିଦେଇଥିଲେ। ଏଣୁ ମତଦାନ କର୍ମଚାରୀମାନେ ସେମାନଙ୍କ କାରକୁ ଅସ୍ଥାୟୀ ମତଦାନ କେନ୍ଦ୍ରରେ ପରିଣତ କରିବା ସହିତ ନିର୍ଦ୍ଧାରିତ ସମୟ ଠିକ୍ ୭ଟା ବେଳେ ମତଦାନ ଆରମ୍ଭ  କରିଥିଲେ। ତେବେ ପୂର୍ବାହ୍ନ ୮ଟା ବେଳକୁ ମିଲ୍ଟନ ରୋଡ ଲାଇବ୍ରେରୀର ମତଦାନ କେନ୍ଦ୍ର ଖୋଲିଯାଇଥିବା ବେଳେ ସ୍ୱଭାବିକ ମତଦାନ ହୋଇଥିଲା। ତେବେ କାର ପଛ ପଟେ ମତଦାନ ଏବେ କେମ୍ବ୍ରିଜ୍ ସିଟି କାଉନସିଲ ନିର୍ବାଚନରେ ଚର୍ଚ୍ଚାର ବିଷୟ ପାଲଟିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.