ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ୟୁକ୍ରେନ ସହ ଶାନ୍ତି ଆଲୋଚନା ଆରମ୍ଭ କରିବା ପାଇଁ ରାଜି ହୋଇଛନ୍ତି । ତେବେ ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ରୁଷ ନିଜର ସର୍ତ୍ତକୁ ଛାଡ଼ିବ ନାହିଁ । ପୁଟିନଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମକ ଅଭିମୁଖ୍ୟ ପରେ ଆସିଛି । କିଛି ଦିନ ପୂର୍ବେ ଟ୍ରମ୍ପ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ରୁଷକୁ ୧୦ ଦିନ ସମୟ ଦେଇଥିଲେ । ସେ କହିଥିଲେ ଯେ ଯୁଦ୍ଧ ଜାରି ରହିବା ସ୍ଥିତିରେ ୧୦ ଦିନ ପରେ ଆମେରିକା ପକ୍ଷରୁ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଯିବ ।
ଭ୍ଲାଦିମିର ପୁଟିନ ଶୁକ୍ରବାର କହିଛନ୍ତି ଯେ ରୁଷ ପୁଣି ଥରେ କିଭ୍ ସହ ଶାନ୍ତି ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି । ଏହା ସହ ସେ ନିଜର ପୁରୁଣା ଦାବିକୁ ମଧ୍ୟ ଦୋହରାଇଛନ୍ତି । ସେ କହିଛନ୍ତି ଯେ ଆକ୍ରମଣ ପଛରେ ରୁଷର ରଣନୈତିକ ଲକ୍ଷ୍ୟ ଅପରିବର୍ତ୍ତିତ ରହିଛି । ପୁଟିନ ଦାବି କରିଛନ୍ତି ଯେ ତାଙ୍କ ସୈନିକ ୟୁକ୍ରେନର ଫ୍ରଣ୍ଟ ଲାଇନରେ ଆଗକୁ ବଢୁଛନ୍ତି ଓ ୟୁକ୍ରେନର ଚାରିପଟୁ ଘେରି ହୋଇଛି ।
ପୁଟିନ କହିଛନ୍ତି, 'ମୁଁ ଆଶାବାଦୀ ଯେ ରୁଷ ଓ ୟୁକ୍ରେନ ନିଜର ଶାନ୍ତି ବାର୍ତ୍ତା ଜାରି ରଖିବେ । ବିନା କ୍ୟାମେରା ଓ ଶାନ୍ତ ବାତାବରଣରେ ଆଲୋଚନା ପାଇଁ ଆମେ ସହମତି ଜଣାଇଛୁ ।' ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧକୁ ସାରା ୟୁରୋପର ସୁରକ୍ଷା ଦୃଷ୍ଟିରୁ ବି ଦେଖାଯିବା ଦରକାର । ରୁଷକୁ ସ୍ଥାୟୀ ଶାନ୍ତି ଦରକାର, ଯାହା ପଶ୍ଚିମ ଦେଶ ଚାହୁଁନାହାନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଥିଲେ ଯେ ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ନକେଲେ, ତେବେ କଠୋର କଟକଣାର ସାମନା କରିବ । ଟ୍ରମ୍ପ କହିଥିଲେ ଯେ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ଦିଗରେ ରୁଷ ଆଗ୍ରହ ଦେଖାଉ ନାହିଁ । ଡୋନାଲ୍ଡ ଟ୍ରମ୍ପ କହିଥିଲେ, ରୁଷକୁ ବାରମ୍ବାର ସୁଯୋଗ ଦିଆଯାଇଛି କିନ୍ତୁ ମସ୍କୋରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ । ଟ୍ରମ୍ପ ପୂର୍ବରୁ ୫୦ ଦିନର ସମୟସୀମା ଧାର୍ଯ୍ୟ କରିଥିଲେ । ଗୁରୁବାର ଆମେରିକା ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ସ୍ପଷ୍ଟ କରିଥିଲା ଯେ ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୮ ସୁଦ୍ଧା ୟୁକ୍ରେନରେ ରୁଷର ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ଚୁକ୍ତି ଚାହାନ୍ତି ।