ବିକଶତି ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ, ବିଜେଡି-କଂଗ୍ରେସର ଟାର୍ଗେଟ୍; ଜବାବ ଦେଲା ବିଜେପି

Published By : Prameya-News7 Bureau | June 21, 2025 IST

ଭୁବନେଶ୍ଵର: ବିକଶିତ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଭିଜନ ଡକ୍ୟୁମେଣ୍ଟ । ତେବେ ସରକାର ଭିଜନ ଡକ୍ୟୁମେଣ୍ଟରେ ଦର୍ଶାଇଥିବା ବିଭିନ୍ନ ତଥ୍ୟକୁ ନେଇ  ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି କହିଛି ବିଗତ ୨୪ବର୍ଷରେ ଓଡ଼ିଶାର ଗ୍ରୋଥ ୧୬ ପ୍ରତିଶତ ହୋଇଥିବା ବେଳେ ଏବେ ସରକାର କହୁଛନ୍ତି ଆମେ ୯ ପ୍ରତିଶତ ଗ୍ରୋଥ୍ କରିବୁ । ସେପଟେ କଂଗ୍ରେସ କହିଛି ଆଗ ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପଞ୍ଚାଇବାକୁ ଚେଷ୍ଟା କରନ୍ତୁ ତା’ପରେ ଭିଜନ କଥା ଚିନ୍ତା କରିବେ । ଯାହାର ଜବାବ୍ ରଖିଛି ବିଜେପି। 

Also read: ରେଳ ଷ୍ଟେସନରେ ଅଟକି ଗଲା ଲିଫ୍ଟ , ଡେଇଁ ପଡ଼ିଲେ ଦିବ୍ୟାଙ୍ଗ, ଗୁରୁତର ଆହତ

ବିକଶିତ ଓଡିଶା ପାଇଁ ଓଡିଶା ଭିଜନ- ୨୦୩୬ର ନୀଳ ନକ୍ସା । ୨୦୩୬ ମସିହା ସୁଦ୍ଧା ଓଡିଶାର ଅର୍ଥନୀତିକୁ ୫୦ ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଭିଜନ ଡକ୍ୟୁମେଣ୍ଟ । ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ପ୍ରାକୃତିକ ପ୍ରାଚ୍ୟୁର୍ଯ୍ୟ ଏବଂ ମାନବ ସମ୍ବଳର ଦୃଢ ମୂଳଦୁଆ ଉପରେ ଏହି ସ୍ବପ୍ନ ପୂରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ସମ୍ବଳ ଏବଂ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଣା ହେଉଛି ଓଡିଶା । 

ଦେଶରେ ଉପଲବ୍ଧ ଖଣିଜ ପଦାର୍ଥ ଭିତରୁ ଓଡିଶାରେ ୫୫ ପ୍ରତିଶତ ଲୁହାପଥର, ୧୦୦ ପ୍ରତିଶତ କ୍ରୋମାଇଟ୍ , ୭୩ ପ୍ରତିଶତ ବକ୍ସାଇଟ ସହ ଦେଶର ଶିଳ୍ପ ଇଞ୍ଜିନର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି ଆମ ରାଜ୍ୟ । ଏହାସାଙ୍ଗକୁ ଓଡିଶାର ଯୁବ ଓ ସକ୍ରିୟ ଜନସଂଖ୍ୟା ଆଉ ଏକ ବଡ ସମ୍ବଳ । ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ସ୍ନାତକ ବାହାରୁଛନ୍ତି ଓଡିଶାରୁ । ଏହାବାଦ୍ ବିସ୍ତିର୍ଣ୍ଣ ଉପକୂଳ, ଜଳ, ଜଙ୍ଗଲ ବିକାଶ ପାଇଁ ପ୍ରଚୁର ସମ୍ଭାବନା ରଖିଛି । ୨୦୩୬ ପାଇଁ ରାଜ୍ୟ ସରକାରଙ୍କର ୩୬ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଏହାକୁ ବଳ ଦେବ ବୋଲି କୁହାଯାଉଛି ।


ତେବେ ଓଡିଶା ଭିଜନ- ୨୦୩୬କୁ ଭିନ୍ନ ଢଙ୍ଗରେ ନେଇଛନ୍ତି ବିରୋଧୀ । ବିଜେଡି କହିଛି ବିଗତ ୨୪ ବର୍ଷରେ ଓଡ଼ିଶାର ଗ୍ରୋଥ ୧୬ ପ୍ରତିଶତ ହୋଇସାରିଛି । କିନ୍ତୁ ଭିଜନ ଡକ୍ୟୁମେଣ୍ଟରେ ରାଜ୍ୟ ସରକାର ଲେଖିଛନ୍ତି ୯ ପ୍ରତିଶତ ଗ୍ରୋଥ କରିବୁ।   ସେହିଭଳି ୨୦୨୨-୨୩ରେ  ରାଜ୍ୟରେ ବିଭିନ୍ନ ବର୍ଗର ୧୧.୭  ପ୍ରତିଶତ ଗରିବୀ ହ୍ରାସ ପାଇଛି। ଏବେ ସରକାର ଭିଜନ ଡକ୍ୟୁମେଣ୍ଟରେ ଦେଇଛନ୍ତି ୨୦୩୬ ସୁଦ୍ଧା ୧୧ ପ୍ରତିଶତ ଜିଡିପି ଗ୍ରୋଥ କରିବୁ । ତେଣୁ ତା’ଉପରେ ଆଉ ଥରେ ଦୃଷ୍ଠି ଦେବାକୁ କହିଛି ବିଜେଡି । କଂଗ୍ରେସ କଟାକ୍ଷ କରିଛି ଯେ, ଦୂଷିତ ପାଣି ପାଇଁ ଲୋକଙ୍କ ଜୀବନ ଗଲାଣି,  ସରକାର କହୁଛନ୍ତି ଭିଜନ ଡକ୍ୟୁମେଣ୍ଟରେ ଗାଁ କୁ ସ୍ବର୍ଗ କରିବୁ ।  ଆଗ ଲୋକଙ୍କ ମୌଳିକ ସମସ୍ୟା ବୁଝନ୍ତୁ,  ତାପରେ ଭିଜନ କଥା ଚିନ୍ତା କରିବେ ବୋଲି କହିଛି କଂଗ୍ରେସ । ଜବାବରେ  ବିଜେପି କହିଛି ଡବଲ ଇଞ୍ଜିନ ସରକାରରେ ଭିଜନ ପ୍ରତିଫଳିତ ହେବ ।

ତେବେ ଭିଜନ ଡକ୍ୟୁମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ପ୍ରତିଫଳିତ କରିବାକୁ ଅନେକ ଚାଲେଂଜ ରହିଛି। ଅଣ ବ୍ୟବହୃତ ଶିଳ୍ପ ସମ୍ଭାବନା, ଦୀର୍ଘସ୍ଥାୟୀ ବିକାଶ ସହ ଅଭିବୃଦ୍ଧି, ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ମନ୍ଥରତା, ଆଞ୍ଚଳିକ ଅସମାନତା ସାଙ୍ଗକୁ ଗବେଷଣା ପ୍ରତିଷ୍ଠାନ, ଷ୍ଟାର୍ଟ ଅପ୍ ଆଦି କ୍ଷେତ୍ରରେ ଆଗକୁ ବଢିବାର ଆବଶ୍ୟକତା ରହିଛି । ଏହା ସାଙ୍ଗକୁ ବଡଧରଣର ସଂସ୍କାର, ଗୋଷ୍ଠୀଗତ ପରିଚାଳନା ଏବଂ ସମାବେଶୀ ଅଭିବୃଦ୍ଧି ରଣନୀତିର ମଧ୍ୟ ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.