ମୁମ୍ବାଇ: ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ ରିଲିଜ୍ ପରଠୁ ଚର୍ଚ୍ଚାରେ ରହି ଆସିଛି। ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆମିରଙ୍କ ପ୍ରଶଂସକ ଫିଲ୍ମର ରିଲିଜ୍କୁ ଚାତକ ପରି ଚାହିଁ ରହିଥିଲେ। ଏବେ ରିଲିଜ୍ ପରେ ଫିଲ୍ମକୁ ସବୁ ବର୍ଗର ଦର୍ଶକଙ୍କ ଭରପୂର ଭଲ ପାଇବା ମିଳୁଛି। ତଥାପି ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ ଆଶାନୁରୂପ ନ ଥିଲା। ଏବେ ଫିଲ୍ମର ଦ୍ଵିତୀୟ ଦିନର କାରବାରର ପ୍ରାରମ୍ଭିକ ତଥ୍ୟ ସାମ୍ନାକୁ ଆସିଛି।
‘ସିତାରେ ଜମିନ ପର’ ପ୍ରଥମ ଦିନର ଆରମ୍ଭ ମନ୍ଥର ଥିଲା। ହେଲେ ଦ୍ଵିତୀୟ ଦିନର ବ୍ୟବସାୟ ବୃଦ୍ଧି ଘଟିଛି। ରାତି ୧୦ଟା ସୁଦ୍ଧା ଫିଲ୍ମ ବକ୍ସ ଅଫିସରେ ୧୭.୨୩ କୋଟିର ଆୟ କରି ସାରିଛି। ତେବେ ବିଳମ୍ଵିତ ରାତିରେ ଶୋ ଥିବାରୁ ଆୟ ପାଖାପାଖି ୨୦ କୋଟି ପହଞ୍ଚିପାରେ। ଫିଲ୍ମ ପ୍ରଥମ ଦିନ ୧୦.୭ କୋଟି ଟଙ୍କା ଆୟ କରିଥିଲା। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଫିଲ୍ମଟି ମୋଟ୍ ୨୭.୯୩ କୋଟି ଟଙ୍କାର ବ୍ୟବସାୟ କରି ସାରିଛି।
ଯଦି ‘ସିତାରେ ଜମିନ ପର’ର ପ୍ରଥମ ଦିନର ଆୟ ଉପରେ ନଜର ପକାଇବା ତେବେ ଫିଲ୍ମର ଆରମ୍ଭ କିଛି ଖାସ୍ ନ ଥିଲା। ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ କେବଳ ୧୦.୭ କୋଟି ଟଙ୍କା ଆୟ କରିଥିଲା। ଆମିରଙ୍କ ଗତ ଫିଲ୍ମ ତୁଳନାରେ ଏହା ମାନ୍ଦା ଆରମ୍ଭ। ତେବେ ଫିଲ୍ମକୁ ଓ୍ଵିକେଣ୍ଡର ଫାଇଦା ମିଳିଛି ଏବଂ ଶନିବାର ଫିଲ୍ମଟି ରାତି ୧୦ଟା ସୁଦ୍ଧା ୧୭.୨୩ କୋଟି ଟଙ୍କା ଆୟ କରି ସାରିଲାଣି। ରବିବାର ଛୁଟି ଦିନ ଥିବାରୁ ଫିଲ୍ମର କାରବାର ଆହୁରି ବଢିବ ବୋଲି ଆଶା କରାଯାଉଛି।
‘ସିତାରେ ଜମିନ ପର’ ଜରିଆରେ ଆମିର ଖାନ ତିନି ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ଶେଷ ଥର ଆମିର ୨୦୨୨ରେ ରିଲିଜ୍ ଲାଲ ସିଂହ ଚଡ୍ଡା ଫିଲ୍ମରେ ନଜର ଆସିଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା। ଏହା ପୂର୍ବରୁ ରିଲିଜ୍ ଆମିରଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନ ମଧ୍ୟ କିଛି ଖାସ୍ କରି ପାରି ନ ଥିଲା। ତେଣୁ ପଛକୁ ପଛକୁ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଆମିରଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରୁ ବହୁତ ଆଶା ରହିଛି।