ନୂଆଦିଲ୍ଲୀ ୨୧/୦୬: ଲଢେଇ ପହଞ୍ଚିଲାଣି ୯ ଦିନରେ । ତଥାପି ଥମୁନି ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନା । ଆକାଶରୁ ହେଉଛି ନିଆଁ ବର୍ଷା । ମିସାଇଲ ମାଡ଼ରେ ଥରହର ପରିବେଶ । ଜାରି ରହିଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ଏହାରି ଭିତରେ ଦୁଃକ ବଖାଣିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି କେମିତି ଏଇ ସ୍ଥିତି ଭିତରେ ବଳିପଡିଛି ପରିବାରର ସୁଖ । କାରଣ ଲଢେଇ ଜାରି ରହିଲେ ସହିବାକୁ ପଡେ ଅନେକ ବାଧାବିଘ୍ନ । ଯେଉଁଥିପାଇଁ ତାଙ୍କ ପୁଅର ବାହାଘର ବି ଦୁଇଥର ସ୍ଥଗିତ ହେଲାଣି।
ବୀର୍ଶେବା ମେଡିକାଲ ସେଣ୍ଟର ବାହାରେ ସେ କହିଛନ୍ତି, ଯୁଦ୍ଧରେ ଇସ୍ରାଏଲର ସବୁ ପରିବାର ପ୍ରଭାବିତ ହୋଇଛନ୍ତି । ଏଥିରୁ ମୋ ପରିବାର ବି ବାଦ୍ ପଡିନି । ତାଙ୍କ ନିଜ ପରିବାର ବି ପ୍ରଭାବିତ ହୋଇଥିବାର ସେ କହିଛନ୍ତି । ପୂର୍ବରୁ ସେଠାରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଛି ।
ନେତାନ୍ୟାହୁ ଆହୁରି କହିଛନ୍ତି, ପ୍ରକୃତରେ ଆକ୍ରମଣ ସମୟର ବ୍ରିଟିଶ୍ ଲୋକଙ୍କ କଥା ମୋର ମନେପଡୁଛି । ଆମେ ମଧ୍ୟ ସେହିଭଳି ଏକ ଅବସ୍ଥା ଦେଇ ଗତି କରୁଛୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍ ଆକ୍ରମଣ କରିଥିଲା । ସେଥିରେ ପ୍ରାୟ ୪୦୦୦୦ ସାଧାରଣ ଲୋକ ପ୍ରାଣ ହରାଇଥିଲେ ।
ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମୂଲ୍ୟ ଦେବାକୁ ପଡୁଛି । ମୋ ପରିବାର ବି ଏଥିରୁ ବାଦ୍ ପଡିନି ବୋଲି କହିଛନ୍ତି ନେତାନ୍ୟାହୁ । କ୍ଷେପଣାସ୍ତ୍ର ମାଡ଼ର ଆଶଙ୍କା ଥିବାରୁ ମୋ ପୁଅ ଅବନେର୍ ବର୍ତ୍ତମାନ ପାଇଁ ବାହାଘରକୁ ବାତିଲ୍ କରିଛି । ତାର ପ୍ରେମିକାକୁ ମଧ୍ୟ ଏଥିପାଇଁ ମୂଲ୍ୟ ଦେବାକୁ ପଡିଛି । ତେବେ ସେ ଯେତିକି ଦୁଃକ କରିଛନ୍ତି ସେତିକି ଗର୍ବ ବି ଅନୁଭବ କରିଛନ୍ତି । ସେ କହିଛନ୍ତି ମୁଁ ତ କହିବି ମୋ ପତ୍ନୀ ଜଣେ ହିରୋ । ସେ ମଧ୍ୟ ଏଥିପାଇଁ ବ୍ୟକ୍ତିଗତ ଭାବେ ବହୁତ କିଛି ସହୁଛନ୍ତି ।
ଅବନେରଙ୍କ ବାହାଘର ଗତ ନଭେମ୍ୱର ମାସରେ ହେବାର ଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଗତ ସୋମବାର ଦିନ ଏହି ବାହାଘର ହେବାର ଥିଲା । ଏହି ବାହାଘର ପାଇଁ ନେତାନ୍ୟାହୁ ନିଜ ସରକାରୀ କାର୍ଯ୍ୟରୁ ଏକ ଛୋଟ ବିରତି ଚାହୁଁଥିଲେ ।
ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କ ପାଇଁ ମଧ୍ୟ ସେ ସମବେଦନା ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳେ ନେତାନ୍ୟାହୁ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତାଙ୍କର ଭରସା ରହିଛି । ଆମେରିକା ପାଇଁ ଯାହା ଭଲ ତାହା ସେ କରିବେ ବୋଲି କହିଛନ୍ତି । ଏହି ବିବାଦ ଭିତରେ ଆମେରିକା ସେନା ହସ୍ତକ୍ଷେପ କରିବ କି ନାହିଁ , ତାହା ଦୁଇ ସପ୍ତାହ ଭିତରେ ସ୍ଥିର କରାଯିବ ବୋଲି ଘୋଷଣା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।