ସେଠ୍ ଜୁମ୍ମାଲାଲଙ୍କ ପାଖରୁ ୩୫,୦୦୦ ଟଙ୍କା ଋଣ ନେଇଥିଲେ ଇଂରେଜ୍, ୧୦୯ ବର୍ଷ ପରେ ବି ସୁଝି ନାହାନ୍ତି

NEWS7
violence-in-puri-srikhetra

ନୂଆଦିଲ୍ଲୀ: ପ୍ରାୟ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ୍ । ଅମାପ ଧନ ସଂପତ୍ତି ଲୁଟି ନେଇଥିଲେ । କିନ୍ତୁ ଏବେ ସମୟ ବଦଳିଛି, ଲୁଟେରା ବ୍ରିଟେନ୍ ପଛରେ ପଡ଼ିଛି । ବ୍ରିଟେନ୍କୁ ପଛରେ ପକାଇ ଭାରତ ବିଶ୍ବର ନିଜର ସ୍ଥିତି ମଜଭୁତ କରିସାରିଛି । ବିଶ୍ବର ଚତୁର୍ଥ ଅର୍ଥନୀତି ଭାରତ, ବ୍ରିଟେନ୍ ଏବଂ ଜାପାନ ଭଳି ଦେଶକୁ ପଛରେ ଛାଡ଼ି ଦେଇଛି। ଖୁବଶୀଘ୍ର ଭାରତ ଆମେରିକା ଏବଂ ଚୀନ୍ ପରେ ତୃତୀୟ ଇକୋନୋମି ହେବାକୁ ଯାଉଛି । ଏସବୁ ଭିତରେ, ୧୦୯ ବର୍ଷ ତଳର ଏକ ଘଟଣା ସାମ୍ନାକୁ ଆସିଛି । ଏହା ଯେତିକି ଆଶ୍ଚର୍ଯ୍ୟ କରିଛି, ସେତିକି କୌତୁହଳ ମଧ୍ୟ ସୃଷ୍ଟି କରିଛି । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଜଣେ ଭାରତୀୟଙ୍କ ପାଖରୁ ଋଣ ନେଇଥିଲେ ଇଂରେଜ୍ । କିନ୍ତୁ ଆଜି ଯାଏଁ ଋଣ ପରିଶୋଧ କରିନାହାନ୍ତି । ଏହାର ପ୍ରମାଣ ମଧ୍ୟ ମିଳିଛି । ୧୯୧୭ରେ ଘଟିଥିବା ଏ ଘଟଣାକୁ ନେଇ ଏବେ ଭାରତରେ ଖୁବ୍ ଚର୍ଚ୍ଚା ।

ଭୋପାଳର ନବାବ ସୁଲତାନ ଜାହାନ ବେଗମଙ୍କ ପରେ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ ସେହୋରର ସେଠ୍ ଜୁମ୍ମାଲାଲ ରୁଥିଆ । ୧୦୯ ବର୍ଷ ପୂର୍ବରୁ ୧୯୧୭ ମସିହାରେ ସେ ବ୍ରିଟିଶ ସରକାରଙ୍କୁ ୩୫,୦୦୦ ଟଙ୍କା ଋଣ ଦେଇଥିଲେ। ବ୍ରିଟିଶମାନେ ଦେଶ ଛାଡ଼ି ଚାଲିଯାଇଥିଲେ, କିନ୍ତୁ ରୁଥିଆ ପରିବାରକୁ ଋଣ ଟଙ୍କା ପରିଶୋଧ କରିନଥିଲେ । ଏବେ ଜୁମ୍ମାଲାଙ୍କ ନାତି ବିବେକ ରୁଥିଆ ବ୍ରିଟିଶ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ ପ୍ରସ୍ତୁତ ହେଉଛନ୍ତି । ଋଣ କାରବାର ସମ୍ବନ୍ଧୀୟ ଦସ୍ତାବିଜ ଆଧାରରେ ବ୍ରିଟିଶ କ୍ରାଉନକୁ ଏକ ଆଇନଗତ ନୋଟିସ ପଠାଉଥିବା ଜଣାପଡ଼ିଛି । ରୁଥିଆ କହିଛନ୍ତି, ସେହି ସମୟରେ ୩୫୦୦୦ ଟଙ୍କାର ମୂଲ୍ୟ ଏବେ ୧ କୋଟି ଟଙ୍କାରୁ ଅଧିକ। ସେଠ୍ ବିବେକ ରୁଥିଆ କହିଛନ୍ତି, ଜେଜେବାପା ସେଠ ଜୁମ୍ମାଲାଲ, ବ୍ରିଟିଶ ସରକାରଙ୍କୁ ଋଣ ଦେବାର ୨୦ ବର୍ଷ ପରେ, ଅର୍ଥାତ ୧୯୩୭ ମସିହାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପିତା ସେଠ୍ ମାନକଚନ୍ଦ୍ର ରୁଥିଆ, ବ୍ରିଟିଶ ସରକାରଙ୍କ ସହିତ ଋଣ କାରବାର ସମ୍ବନ୍ଧୀୟ ଦସ୍ତାବିଜ ପାଇଥିଲେ ।

ଭୋପାଳ ରାଜ୍ୟର ପରିଚାଳନାକୁ ସୁଗମ କରିବା ପାଇଁ ବ୍ରିଟିଶ ସରକାର ଏହି ଋଣ ନେଇଥିଲେ । ବିବେକ ରୁଥିଆ ଦାବି କରଛନ୍ତନ୍ତି ଯେ, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ଦେଶ ନୀତିଗତ ଭାବରେ ନିଜର ପୁରୁଣା ଋଣ ପରିଶୋଧ କରିବାକୁ ବାଧ୍ୟ । ବିବେକଙ୍କ ପିତା ସେଠ୍ ମାନକଚନ୍ଦ୍ର ରୁଥିଆଙ୍କ ବିଷୟରେ କୁହାଯାଏ ଯେ, ସହରର ୪୦ ରୁ ୪୫ ପ୍ରତିଶତ ବସତି ତାଙ୍କ ଜମିରେ ନିର୍ମିତ। ଇନ୍ଦୋର, ସେହୋର ଏବଂ ଭୋପାଳରେ ଅନେକ ସମ୍ପତ୍ତି ରୁଥିଆ ପରିବାରଙ୍କ ନାମରେ ପଞ୍ଜିକୃତ । କିନ୍ତୁ ସେମାନେ ସେଗୁଡ଼ିକ ବିଷୟରେ ଅଜ୍ଞ । ସେମାନଙ୍କ ସଂପତ୍ତି ଅନ୍ୟମାନଙ୍କ ଦ୍ୱାରା ଦଖଲ କରାଯାଇଛି। ରୁଥିଆ ପରିବାର ଏବେ ବି ଜବରଦଖଲକାରୀଙ୍କ ସହ ମାମଲା ଲଢ଼ୁଛନ୍ତି । ତାଙ୍କ ଅନେକ କୋଠାରେ ଏବେ ବି ଲୋକ ରହୁଛନ୍ତି । କିନ୍ତୁ ମାସିକ ଦେଉଛନ୍ତି ୧୦୦ରୁ ୫୦୦ ଟଙ୍କା ଭଡ଼ା ।

ବିବେକ ରୁଥିଆ କହିଛନ୍ତି, ଋଣ ପରିଶୋଧ ପାଇଁ ସରକାର ଏକ ସମୟସୀମା ସ୍ଥିର କରିବେ। ଯଦି ସେହି ସମୟ ସୀମା ପରେ ଋଣ ପରିଶୋଧ କରାଯାଏ ନାହିଁ, ତେବେ ଆହୁରି ସର୍ତ୍ତାବଳୀ ଯୋଡ଼ାଯିବ । ଅନ୍ୟପଟେ ଆଇନ ବିଶେଷଜ୍ଞଙ୍କ ମତରେ, ଡକ୍ୟୁମେଣ୍ଟ ଆଧାରରେ ବ୍ରିଟେନ ସରକାରଙ୍କୁ ନୋଟିସ୍ ପଠାଯାଇପାରିବ। ଯେକୌଣସି ଋଣ କାରବାରରେ ଚୁକ୍ତିନାମାର ସର୍ତ୍ତାବଳୀ ଗୁରୁତ୍ୱପୂର୍ଣ୍ଣ। ପରିଶୋଧର ସମୟସୀମା ସ୍ଥିର କରାଯାଇଥାଏ । ଋଣ ଖିଲାପ କଲେ ପରିଣାମ କ’ଣ ହେବ, ତାହା ମଧ୍ୟ ଚୁକ୍ତିନାମାରେ ଉଲ୍ଲେଖ ଥାଏ । ତେଣୁ ସମ୍ପୂର୍ଣ୍ଣ ବିଷୟ ଚୁକ୍ତିନାମାର ସର୍ତ୍ତାବଳୀ ଉପରେ ନିର୍ଭର କରିବ। ସେ ଯାହା ହେଉ, ୧୦୯ ବର୍ଷ ପୁରୁଣା ଋଣ ମାମଲା ପୁଣି ଥରେ ବିତର୍କ ସୃଷ୍ଟି କରିଛି। ରୁଥିଆ ପରିବାର ପକ୍ଷରୁ ଦିଆଯିବାକୁ ଥିବା ନୋଟିସର୍ ବ୍ରିଟେନ୍ କଣ ପ୍ରତିକ୍ରିୟା ଦେବ ତାଉପରେ ସମସ୍ତଙ୍କ ନଜର ରହିବ ।