ରାତିରେ ହେଉଥିଲା ମୋରମ ଚୋରା ଚାଲାଣ, ଟ୍ରକ୍‌କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

Published By : Prameya-News7 Bureau | August 07, 2025 IST

ବ୍ରହ୍ମପୁର: ବେଆଇନ ଭାବେ ରାତିରେ ଚାଲାଣ ହେଉଛି ମୋରମ। ଏହା ଯୋଗୁ ଗ୍ରାମବାସୀଙ୍କୁ ହେଉଛି ନାନା ଅସୁବିଧା। ଏମିତିରେ ଗ୍ରାମବାସୀମାନେ ଏହି ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ନେଲେ ବଡ଼ ନିଷ୍ପତ୍ତି। ଗ୍ରାମବାସୀମାନେ ନିଜେ ଚୋରା ଚାଲାଣ କରୁଥିବା ଟ୍ରକ୍‌କୁ ଅଟକାଇବା ସହ ପୋଲିସର ଜିମା ଦେଇଛନ୍ତି। ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟବର୍ତ୍ତୀ କୁକୁଡାଖଣ୍ଡି ବ୍ଲକ୍ ଲାଞ୍ଜିଆ ପଞ୍ଚାୟତ ଅଧୀନ ବାଳକୃଷ୍ଣପୁର ଗ୍ରାମରେ।

ସୂଚନା ଅନୁଯାୟୀ, ଗାଁକୁ ଲାଗି ରହିଛି ବାଘଝରି ମୌଜାର ଡ଼ାଲଖାଇ ପାହାଡ଼। ଆଉ ଏହି ପାହାଡ଼ରୁ ମାଫିଆମାନେ ରାତି ଅଧିଆ ମୋରମ ଚୋରାଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଖଣି ବିଭାଗର ଉଦାସୀନତା ଯୋଗୁ ବେଆଇନ ମୋରମ ଚାଲାଣ ବଢ଼ିଛି। ଆଉ ଏଭଳି ବେଆଇନ ଭାବେ ଟନ୍ ଟନ୍ ମୋରମ ଚାଲାଣ ଯୋଗୁ ଜଙ୍ଗଲ, ଗଛ ନଷ୍ଟ ହେଉଥିବା ବେଳେ ବଡ଼ ବଡ଼ ଗାଡି ଗାଁ ରାସ୍ତାରେ ଚଳାଚଳ କରି ରାସ୍ତା ଭାଙ୍ଗିରୁଜି ଯାଉଛି। 

ତେଣୁ ଏଭଳି ଚୋରାଚାଲାଣକୁ ରୋକିବାକୁ ବୁଧବାର ରାତିରେ ମୋରମ ଲୋଡ ହୋଇଥିବା ଅନେକ ଗାଡ଼ିକୁ ଅଟକାଇଥିଲେ। ତେବେ ଖବର ପାଇ ବନ ବିଭାଗ, ଆରଆଇ, ପୋଲିସ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ସେପଟେ ଜଙ୍ଗଲ ଓ ଗାଁକୁ ସୁରକ୍ଷା ଦେବାକୁ ଗ୍ରାମବାସୀ ନିବେଦନ କରିଥିବାବେଳେ ଏହି ଚୋରା ଚାଲାଣ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.