ହିନ୍ଦୋଳ ୩୦।୦୧ : ଢେଙ୍କାନାଳ ବଦାଳୁ ହାଣ୍ଡିଫୁଟା ଗାଁରେ ଦନ୍ତା ଆତଙ୍କ। ଗାଁରେ ପଶି ଘର ଭାଙ୍ଗିବା ସହ ଅନେକ ସମ୍ପତ୍ତି ଦଳିଚକଟି ନଷ୍ଟ କରିଦେଇଛି । ହାତୀ ଦାଉରୁ ଅଳ୍ପକେ ବର୍ତ୍ତିଗଲେ ମା' ଓ ବୁଢ଼ୀ ମା' । ହେଲେ ଚାଲିଗଲା ୭ ବର୍ଷ ଶିଶୁର ଜୀବନ। ତେବେ ଏହି ଘଟଣାକୁ ନେଇ ହିନ୍ଦୋଳ ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଯାହାଫଳରେ ୫୫ ନମ୍ବର ଜାତୀୟ ରାଜପଥ ଯାତାୟାତ ଠପ୍ ରହିଛି । ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ହାଣ୍ଡିଫୁଟା ଗାଁରେ ହାତୀ ପଶି ପ୍ରମୋଦ ନାୟକଙ୍କ ଘର ଭାଙ୍ଗି ଆତଙ୍କ ଖେଳାଇଥିଲା । ଏପିରିକି ଘରେ ମା' କୋଳରେ ଶୋଇଥିବା ୭ବର୍ଷର ଶିଶୁ କନ୍ୟାକୁ ଟାଣି ନେଇ ଦଳି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ହେଲେ ହାତୀ କବଳରୁ ବର୍ତ୍ତିଯାଇଛନ୍ତି ମୃତ ଶିଶୁର ମା ଓ ବୁଢୀ ମା ।
ସେପଟେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ । ଉତ୍ୟକ୍ତ ଲୋକ ହାଣ୍ଡିଫୁଟା ନିକଟରେ ରାସ୍ତା ଅବରୋଧ କରିଛନ୍ତି । ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉ ନାହିଁ, ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ ,ଅଞ୍ଚଳରେ ଆଲୋକୀକରଣ ଓ ବନବିଭାଗ ପକ୍ଷରୁ ନାଇଟ ପ୍ୟାଟ୍ରୋଲିଂ ଆଦି ଦାବି ନେଇ ରାସ୍ତାରେ ବସି ରହିଛନ୍ତି ଗ୍ରାମବାସୀ। ଯାହାଫଳରେ ୫୫ ନମ୍ବର ଜାତୀୟ ରାଜପଥରେ ଯିବାଆସିବା ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି ।