ନୂଆଦିଲ୍ଲୀ: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ। ୨୦୨୫ ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ଭାରତ ଏ ପାଇଁ ଖେଳୁଥିବା ବୈଭବ ୟୁଏଇ ବିପକ୍ଷ ମ୍ୟାଚରେ ୩୨ ବଲ୍ରେ ଶତକ ହାସଲ କରିଛନ୍ତି। ବୈଭବ ୧୭ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ, ପରବର୍ତ୍ତୀ ୫୦ ରନ୍ରେ ପହଞ୍ଚିବା ପାଇଁ ୧୫ ବଲ୍ ଖେଳିଥିଲେ। ତାଙ୍କର ଏହି ବିଧ୍ଵଂସୀ ଇନିଂସରେ ୧୦ ଚୌକା ଏବଂ ୯ ଛକା ସାମିଲ୍।

ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍ରେ ୪୨ ବଲ୍ରେ ୧୪୪ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଛକା ଏବଂ ୧୧ ଚୌକା ସାମିଲ। ଏହା ଟି-୨୦ କ୍ରିକେଟ୍ ଇତିହାସରେ ଭାରତ ପାଇଁ ଦ୍ରୁତତମ ଶତକ ନୁହେଁ। ଟି-୨୦ କ୍ରିକେଟ୍ରେ ଭାରତ ପାଇଁ ଦ୍ରୁତତମ ଶତକର ରେକର୍ଡ ଯୁଗ୍ମ ଭାବେ ଅଭିଷେକ ଶର୍ମା ଏବଂ ଉର୍ଭିଲ ପଟେଲଙ୍କ ନାମରେ ରହିଛି।ଦୁଇ ଖେଳାଳି ୨୮ ବଲ୍ରେ ଶତକ ହାସଲ କରି ଭାରତୀୟ କ୍ରିକେଟରେ କୀର୍ତ୍ତିମାନ ରଚିଥିଲେ।

ସୂର୍ଯ୍ୟବଂଶୀ ଚଳିତ ବର୍ଷ ଆଇପିଏଲ୍ରେ ଶତକ ହାସଲ କରିଥିବା ସବୁଠାରୁ କମ୍ ବୟସ୍କ କ୍ରିକେଟ୍ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ୧୪ ବର୍ଷ ୩୨ ଦିନ ବୟସରେ ମାତ୍ର ୩୫ ବଲ୍ରେ ଆଇପିଏଲ୍ ଶତକ ହାସଲ କରିଥିଲେ। ଏହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ।

ଭାରତ ପାଇଁ ଦ୍ରୁତତମ ଟି-୨୦ ଶତକ

ଭାରତ ପାଇଁ ଦ୍ରୁତତମ ଟି-୨୦ ଶତକର ରେକର୍ଡ ଅଭିଷେକ ଶର୍ମା ଏବଂ ଉର୍ଭିଲ ପଟେଲଙ୍କ ନାମରେ ଅଛି। ଉଭୟେ ୨୮ ବଲରେ ଶତକ ମାରିଥିଲେ। ଋଷଭ ପନ୍ତ ମଧ୍ୟ ଟି-୨୦ କ୍ରିକେଟରେ ୩୨ ବଲରେ ଶତକ ମାରିଛନ୍ତି।

ଅଭିଷେକ ଶର୍ମା - ୨୮ ବଲ୍

ଉର୍ଭିଲ ପଟେଲ - ୨୮ ବଲ୍

ଋଷଭ ପନ୍ତ - ୩୨ ବଲ୍

ବୈଭବ ସୂର୍ଯ୍ୟବଂଶୀ - ୩୨ ବଲ୍

ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର ଟୁର୍ନାମେଣ୍ଟ ନଭେମ୍ବର ୧୪ ରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓମାନକୁ ୪୦ ରନରେ ପରାସ୍ତ କରିଥିଲା। ଭାରତ, ପାକିସ୍ତାନ, ୟୁଏଇ, ଓମାନ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ହଂକଂ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୪ ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ।