ସିନ୍ଧୁ ଜଳ ସନ୍ଧି ଉପରେ ବଡ଼ ଖୁଲାସା, ୧୯୬୧ରେ ଆମେରିକାକୁ ଦୟାର ଭିକ ମାଗିଥିଲା ପାକିସ୍ତାନ...ଜାଣନ୍ତୁ କ'ଣ ଥିଲା ମାମଲା

Published By : Prameya-News7 Bureau | August 16, 2025 IST

ନୂଆଦିଲ୍ଲୀ: ୧୯୬୦ରେ ସିନ୍ଧୁ ଜଳ ସନ୍ଧି ପରେ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ୍ କାଶ୍ମୀରକୁ ଭାରତରୁ ଅଲଗା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ସାହାଯ୍ୟର ଭିକ ମାଗିଥିଲେ । ଏକ ନୂଆ ପୁସ୍ତକରେ ଏହି କଥା ସାମନାକୁ ଆସିଛି । ଏହି ପୁସ୍ତକର ନାଁର ‘ଟ୍ରାୟଲ୍ ବାଏ ୱାଟର: ଇଣ୍ଡସ୍ ବେସିନ୍ ଆଣ୍ଡ ଇଣ୍ଡିଆ-ପାକିସ୍ତାନ ରିଲେସନ୍ସ’। ଏହି ପୁସ୍ତକକୁ ଉତ୍ତମ କୁମାର ସିହ୍ନା ଲେଖିଛନ୍ତି । ସେ ଅନ୍ତର୍ଜାତୀୟ ଜଳ ପ୍ରସଙ୍ଗର ବିଶେଷଜ୍ଞ ଓ ଆଇଡିଏସଏରେ ବରିଷ୍ଠ ଫେଲୋ ଅଛନ୍ତି । ସେ ନିଜ ପୁସ୍ତକରେ, ଆୟୁବ ଖାନ ଆମେରିକାକୁ ସାହାଯ୍ୟ କାହିଁକି ମାଗିଲେ, କିପରି ମାଗିଲେ ଓ କେନେଡି ଏହା ଉପରେ କଣ ପ୍ରତିକ୍ରିୟା ଦେଇଥିଲେ ତାହା ଲେଖିଛନ୍ତି । ପୁସ୍ତକରେ ଜଳ ସନ୍ଧି ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ବି ସେ କରିଛନ୍ତି ।

ଟ୍ରାୟଲ୍ ବାଏ ୱାଟର: ଇଣ୍ଡସ୍ ବେସିନ୍ ଆଣ୍ଡ ଇଣ୍ଡିଆ-ପାକିସ୍ତାନ ରିଲେସନ୍ସ’ ପୁସ୍ତକରେ ସେ ଲେଖିଛନ୍ତି, ୧୯୬୦ରେ ସିନ୍ଧୁ ଜଳ ସନ୍ଧି ପରେ, ୧୯୬୧ରେ ଆୟୁବ ଖାନ ୱାଶିଂଟନ ଯାଇଥିଲେ । ଆମେରିକା ଦ୍ୱାରା ଭାରତକୁ କରାଯାଉଥିବା ସାହାଯ୍ୟକୁ ନେଇ ସେ ପୂର୍ବରୁ ଅସନ୍ତୋଷ ଥିଲେ । ଫାର୍ଷ୍ଟ ଲେଡି ଜ୍ୟାକଲିନ୍ କେନେଡି ମାଉଣ୍ଟ ବର୍ନୋନରେ ଆୟୁବ ଖାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଆୟୁବ ଖାନଙ୍କ ଅସନ୍ତୋଷ ସେଠାରେ ବି ବାରି ହେଉଥିଲା । ସେ ସିଆଇଏରେ ଗୁପ୍ତ ଉଡ଼ାଣଗୁଡ଼ିକ ଉପରେ ମଧ୍ୟ ରୋକ ଲଗାଇଥିଲେ, ଯାହା ପୂର୍ବ ପାକିସ୍ତାନର ଏୟାରବେସରୁ ତିବ୍ବତ ବିଦ୍ରୋହୀଙ୍କୁ ସାହାଯ୍ୟ କରୁଥିଲା । ଏହା ସହ ପଶ୍ଚିମ ପାକିସ୍ତାନରୁ ଚୀନ ଉପରେ ୟୁ-୨ ଫ୍ଲାଇଟ୍ସର ଉଡାଣ ଉପରେ ବି ରୋକ୍ ଲଗାଇଥିଲେ ।

ତେବେ କେନେଡିଙ୍କ ସହ ବ୍ୟକ୍ତିଗତ ଆଲୋଚନା ପରେ ସ୍ଥିତିରେ ସୁଧାର ଆସିଥିଲା । ଆୟୁବ ଖାନ ଏୟାରବେସ୍ ପୁଣି ଥରେ ଖୋଲିବା ପାଇଁ ରାଜି ହୋଇଥିଲେ । ଏହା ବଦଳରେ ଭାରତକୁ ଆମେରିକା କୌଣସି ପ୍ରକାର ସୈନ୍ୟ ଉପକରଣ ଦେବ ନାହିଁ ବୋଲି କେନେଡି ପ୍ରତିଶ୍ରୁତି ଦେଇଥିଲେ । ଏହାର କିଛି ଦିନ ପରେ ଓଭାଲ ଅଫିସରେ ଆୟୁବ ଖାନ ପାକିସ୍ତାନର ସୁରକ୍ଷା ଚିନ୍ତାକୁ ନେଇ କିଛି ନକ୍ସା ଦେଖାଇଥିଲେ । 

ଉତ୍ତମ ସିହ୍ନା ନିଜ ପୁସ୍ତକରେ ଲେଖିଛନ୍ତି ଯେ ଆୟୁବ ଖାନ ନକ୍ସ ଦେଖାଇ କହିଥିଲେ, ଭାରତ ନିଜର ୧୫ ଲକ୍ଷ ସୈନିକଙ୍କ ମଧ୍ୟରୁ କେବଳ ୧୫ ପ୍ରତିଶତ ହିଁ ଚୀନ ସୀମାରେ ମୁତୟନ କରିଛି । ଅନ୍ୟପଟେ ୮୫ ପ୍ରତିଶତ ଯବାନଙ୍କୁ ପାକିସ୍ତାନ ସୀମାରେ ମୁତୟନ କରିଥିଲା । ସେ ଏହା ବି ଲେଖିଛନ୍ତି ଯେ ଆଫଗାନିସ୍ତାନର ପଶ୍ଚିମ ସୀମାରେ ୮୦୦୦୦-୯୦୦୦୦ ସୈନିକ ଅଛନ୍ତି, ଯାହାଙ୍କ ପାଖରେ ସୋଭିଏତ୍ ସଂଘରୁ ମିଳିଥିବା ହତିଆର ରହିଛି । ତୃତୀୟ ନକ୍ସାରେ ଦୁଇ ପଡ଼ୋଶୀଙ୍କ ବିରୋଧରେ ପାକିସ୍ତାନର ପତଳା ପ୍ରତିରକ୍ଷା ରେଖା ଦେଖାଇଥିଲେ । ଆୟୁବ ଖାନ ଲଗାତାର ଜୋର ଦେଇଥିଲେ ଯେ କାଶ୍ମୀର ବିନା, ଭାରତ ଓ ଆଫଗାନିସ୍ତାନରୁ ଆକ୍ରମଣ ସମୟରେ ପାକିସ୍ତାନର ସ୍ଥିତି ଖରାପ ହୋଇଯିବ । 

ଉତ୍ତମ କୁମାର ସିହ୍ନା ନିଜ ପୁସ୍ତକରେ ଦାବି କରିଛନ୍ତି ଯେ ଆୟୁବ ଖାନ ଲଗାତାର ଦାବି କରିଥିଲେ ଯେ କାଶ୍ମୀର ବିନା ପାକିସ୍ତାନର କୌଣସି ଭଭିଷ୍ୟତ ନାହିଁ । କେନେଡି ଓ ତାଙ୍କ ପରାମର୍ଶଦାତାଙ୍କୁ ଆୟୁବ ଖାନଙ୍କ କଥା ଉପରେ ବିଶ୍ୱାସ ନଥିଲା, କିନ୍ତୁ ସେମାନେ ଜାଣିଥିଲେ ଯେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ କାଶ୍ମୀର ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କେନେଡି ଏକ ବୁଝାମଣା କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ସ୍ୱୀକାର କରି ପାରିଥାନ୍ତେ । ଆୟୁବ ଖାନ୍ ଜବାବ ଦେଇଥିଲେ ଯେ ଭାରତ ଜମ୍ମୁ ରଖିପାରିବ, କିନ୍ତୁ ପାକିସ୍ତାନକୁ ନିଜ ପାଣି ସୁରକ୍ଷା ପାଇଁ ଚେନାବ ନଦୀ ଆରପଟେ କିଛି ମାଇଲ୍ ଯାଏ ଭୂମି ଦରକାର । 

ଆୟୁବ ଖାନ ଯୁକ୍ତି ରଖିଥିଲେ ଯେ ଯଦି ସିନ୍ଧୁ ଜଳ ସନ୍ଧି ପାକିସ୍ତାନକୁ ପଶ୍ଚିମ ନଦୀର ଅଧିକାର ଦେଉଛି ଏବଂ ତାହା କାଶ୍ମୀରରେ ପ୍ରବାହିତ ହେଉଛି, ତେବେ ସେହି ନଜି ଆଖପାଖ ଅଞ୍ଚଳ ବି ପାକିସ୍ତାନର ହେବା ଦରକାର । କେନେଡିଙ୍କୁ ଆୟୁବ ଖାନ କହିଥିଲେ ଯେ ନେହୁର ଏବେ କାଶ୍ମୀରବାସୀଙ୍କ ଠାରୁ ଦୂରେଇ ଯାଇଛନ୍ତି ଓ ଏହି ବୁଝାମଣା ପାଇଁ ରାଜି ହୋଇପାରନ୍ତି । ସେ ଚେତାବନୀ ଦେଇଥିଲେ ଯେ କାଶ୍ମୀର ପ୍ରସଙ୍ଗର ସମାଧାନ ବିନା, ଭାରତକୁ ଆମେରିକାର ସାହାଯ୍ୟ ବେକାର ଯିବ । ଏହାର ଜବାବରେ କେନେଡି କହିଥିଲେ ଯେ ଆମେରିକାର ସାହାଯ୍ୟ ପଛର କାରଣ ହେଉଛି ଭାରତକୁ କମ୍ୟୁନିଷ୍ଟ ପ୍ରଭାବରୁ ବଞ୍ଚାଇବା । ଉତ୍ତମ ସିହ୍ନା ନିଜ ପୁସ୍ତକରେ ଏକଥା ଖୁଲାସା କରିଥିବା ନବ ଭାରତ ଟାଇମ୍ସ ନିଜ ରିପୋର୍ଟରେ ଉଲ୍ଲେଖ କରିଛି । 

ପୁସ୍ତକରେ ଏହା ବି ଉଲ୍ଲେଖ କରାଯାଇଛି ଯେ ନେହରୁଙ୍କୁ ସିନ୍ଧୁ ଜଳ ସନ୍ଧି ପାଇଁ ଦେଶ ଭିତରେ ସମାଲୋଚନା ସହିବାକୁ ପଡ଼ିଥିଲା । ୧୯୬୦ ନଭେମ୍ୱର ଓ ଡିସେମ୍ୱରରେ ଏହା ଉପରେ ଲୋକସଭାରେ ବିତର୍କ ବେଳେ ଜଣେ ସାଂସଦ ନେହରୁଙ୍କ କ୍ରିକେଟ୍ ମ୍ୟାଚର ଅମ୍ପାୟର ଆଖ୍ୟା ଦେଇଥିଲେ । ପୁସ୍ତକରେ ଲେଖାଯାଇଛି ଯଏ ସାଂସଦ ଅନୁଭବ କରୁଥିଲେ ଯେ ଭାରତ ଅତି ସହଜରେ ଅନେକ କିଛି ଦେଇ ଦେଉଛୁ । ୧୯୬୦ ସେପ୍ଟେମ୍ୱର ୧୯ରେ ସନ୍ଧି ଉପରେ ହାସ୍ତକ୍ଷର ହୋଇଥିଲା । ନଭେମ୍ୱର ୩୦ରେ ସଂସଦରେ ଏହା ଉପରେ ବିତର୍କ ହୋଇଥିଲା । ସେହି ସମୟରେ ମାହୋଲ ଆଦୌ ଭଲ ନଥିଲା । କଂଗ୍ରେସ ସଦସ୍ୟଙ୍କ ସହ ସବୁ ଦଳର ନେତା ଏହାକୁ ସମାଲୋଚନା କରିଥିଲେ । ପ୍ରଜା ସୋଶଲିଷ୍ଟ ପାର୍ଟିର ଅଶୋକ ମେହେଟା ଏହାକୁ ଦ୍ୱିତୀୟ ବିଭାଜନ ରୂପେ ଅବିହତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.