ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଶନିବାର ଟ୍ରୁଥ ସୋସିଆଲ ମିଡିଆରେ ଏ ନେଇ ଟ୍ରମ୍ପ ବଡ଼ ସୂଚନା ଦେଇଛନ୍ତି।
ଟ୍ରୁଥ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଆମେରିକାର ମଧ୍ୟସ୍ଥତାରେ ରାତିରେ ଲମ୍ବା ଆଲୋଚନା ପରେ ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଭାବେ ଓ ତତ୍କାଲ ପ୍ରଭାବରୁ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଦୁଇ ଦେଶ ସାଧାରଣ ଜ୍ଞାନ ଓ ମହାନ ବୁଦ୍ଧିମତା ବ୍ୟବହାର କରିଥିବାରୁ ସେମାନଙ୍କ ଧନ୍ୟବାଦ।
ତେବେ ଭାରତ ସୂତ୍ରରୁ ପ୍ରକାଶ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୁଳିମାଡ଼ ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଛି। ଆଜି ଅପରାହ୍ଣରେ ପାକ୍ ଡିଜିଏମଓ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସହମତି ପ୍ରକାଶ ପାଇଛି। ତେବେ ଅନ୍ୟ କୌଣସି ପ୍ରସଙ୍ଗରେ ଅନ୍ୟ ସ୍ଥାନରେ ଆଲୋଚନା ପାଇଁ କୌଣସି ନିର୍ଣ୍ଣୟ ନିଆଯାଇନି।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଗତ ୪୮ ଘଣ୍ଟାରେ ଉପ ରାଷ୍ଟ୍ରପତି ଭେନ୍ସ ଏବଂ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପାକ୍ ସେନା ପ୍ରମୁଖ ଅସୀମ ମୁନୀର, ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ ଓ ଆସିମ ମଲିକ ସହିତ ବରିଷ୍ଠ ଭାରତୀୟ ଓ ପାକିସ୍ତାନୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲୁ। ମୋତେ ଘୋଷଣା କରି ଖୁସି ଲାଗୁଛି ଯେ ଭାରତ ଓ ପାକିସ୍ତାନ ସରକାର ତତ୍କାଳ ଅସ୍ତ୍ରବିରତି ଓ ନିରପେକ୍ଷ ସ୍ଥାନରେ ବ୍ୟାପକ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବା ଉପରେ ସହମତି ଦେଇଛନ୍ତି। ଆମେ ଶାନ୍ତିର ମାର୍ଗ ଚୟନ କରିବାରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ସରିଫଙ୍କ ବୁଦ୍ଧିମତା, ବିବେକକୁ ପ୍ରଶଂସା କରୁଛି।
ଟ୍ରମ୍ପଙ୍କ ବ୍ୟତୀତ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଥିବା ଦାବି କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନ ଓ ଭାରତ ତତ୍କାଳ ପ୍ରଭାବରୁ ଅସ୍ତ୍ର ବିରତି ପାଇଁ ରାଜି ହୋଇଛନ୍ତି। ପାକିସ୍ତାନ ସର୍ବଦା ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ସହ ସାଲିସ ବିନା କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ଉଦ୍ୟମ କରିଛି।