ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ସହ ଆମେରିକା; ସମର୍ଥନ ଜଣାଇଲେ ବାଚସ୍ପତି ମାଇକ୍ ଜାନସନ

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ କେବଳ ଭାରତ ନୁହେଁ ପୂରା ବିଶ୍ବ ଛିଡ଼ା ହୋଇଛି । ଆମେରିକା ଠାରୁ ଆରମ୍ଭ କରି ପଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ ସମସ୍ତେ ବିରୋଧ କରିଛନ୍ତି । ଆତଙ୍କବାଦ ବିରୋଧ ଲଢ଼େଇରେ ଆମେରିକା ଭାରତକୁ ସମର୍ଥନ କରିବ । ଏନେଇ ଆମେରିକା ସଂସଦରେ ସ୍ପିକର ମାଇକ୍ ଜାନସନ ଘୋଷଣା କରିଛନ୍ତି । ସେ ଭାରତକୁ ଅନେକ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ସାଥି ବୋଲି କହିଛନ୍ତି । ସୋମବାର ସଂସଦ କ୍ୟାପିଟାଲ୍ ହିଲ୍‌ରେ ଜାନସନ ଏକ ପ୍ରେସ୍ ମିଟ୍‌ରେ ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ବୁଝାମଣା ଉପରେ ଆଲୋଚନା କରିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ଏହି ସମ୍ପର୍କ ଆଗକୁ ମଜଭୁତ ହେବ ବୋଲି ଆଶା ରଖିଛନ୍ତି । ଏହାଛଡ଼ା ଆତଙ୍କବାଦକୁ ନେଇ ଦଶନ୍ଧି ଧରି ଚାଲୁଥିବା ଲଢ଼େଇରେ ଭାରତକୁ କ’ଣ ସନ୍ଦେଶ ଦେବେ ବୋଲି ପ୍ରଶ୍ନ କରାଯାଇଥିଲା । 

ତେବେ ଏହି ପ୍ରଶ୍ନରେ ମାଇକ୍ ଜାନସନ କହିଛନ୍ତି, ଭାରତୀୟ ସୀମାରେ ଯାହା ସବୁ ଘଟିଛି ବା ଘଟିବାକୁଯାଉଛି, ସେଥିପାଇଁ ଆମେରିକା ସହାନୁଭୂତି ଜଣାଉଛି । ଆମେରିକା ସବୁବେଳେ ତା’ର ସହଯୋଗୀ ଦେଶ ସହିତ ଛିଡ଼ା ହେବାକୁ ଚାହିଁବ । ବ୍ୟବସାୟିକ, କୂଟନୈତିକ ଦୃଷ୍ଟିରୁ ଭାରତ ଆମର ଏକ ଭାଗିଦାରୀ ଦେଶ , ତେଣୁ ଆତଙ୍କବାଦ ବିରୋଧ ଲଢ଼େଇରେ ଆମେରିକା ଭାରତ ସହିତ ଛିଡ଼ା ହେବାକୁ ପସନ୍ଦ କରିବ । 

ଆମେରିକା ବାଚସ୍ପତିଙ୍କ ପୂର୍ବରୁ ଆମେରିକୀୟ ଗୁଇନ୍ଦା ସଂସ୍ଥାର ଚିଫ୍ ତୁଲସୀ ଗଓ୍ବାର୍ଡ, ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ୍ ମଧ୍ୟ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ଏପଟେ ସ୍ପିକର ମାଇକ୍ ଜାନସନ କହିଛନ୍ତି, ଏହି ଲଢ଼େଇରେ ଆମେରିକା ଯଥା ସମ୍ଭବ ଭାରତରୁ ସହଯୋଗ କରିବାକୁ ପ୍ରୟାସ କରିବ । କୌଣସି ବଡ଼ ବିପଦ ଆସିଲେ ଟ୍ରମ୍ପ ପ୍ରଶାସନ ଭାରତ ସହିତ ଛିଡା ହୋଇଥିବା ଦେଖିବାକୁ ପାଇବେ । ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଅଧିକ ଉର୍ଜା, ସମ୍ବଳ ଓ ସମୟ ସହିତ ସହଯୋଗ କରିବ ବୋଲି ମାଇକ୍ ଜାନସନ କହିଛନ୍ତି । 

ସୂଚନା ଅନୁଯାୟୀ, ଏପ୍ରିଲ୍ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୭ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ପହଲଗାମ ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଭୟରେ ଛାନିଆ ହୋଇଛି ପାକିସ୍ତାନ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.