ନୂଆଦିଲ୍ଲୀ ୧୩।୯: ଇସ୍ଲାମର ସବୁଠୁ ପବିତ୍ର ସ୍ଥାନ ମଧ୍ୟରେ ଅନ୍ୟତମ ମଦିନା ଉପରେ ମିଜାଇଲ ଆକ୍ରମଣର ଖବର ଆସୁଛି। ସାଉଦୀ ଆରବରୁ ଆସୁଥିବା ଖବର ଅନୁସାରେ ଏହି ମିଜାଇଲକୁ ମଦିନାସ୍ଥିତ ମସଜିଦ୍ ଉପରେ ଇଣ୍ଟରସେପ୍ଟ କରାଯାଇଛି। ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି, ଏଥିରେ ଆକାଶରେ ଏକ ଗୋଳା ଯାଉଥିବା ଦେଖାଯାଉଛି। ଖବର ଅନୁସାରେ ସାଉଦୀ ଆରବ ମଜଭୁତ ଏୟାର ଡିଫେନ୍ସ ସିଷ୍ଟମ ମିଜାଇଲକୁ ଟାର୍ଗେଟ୍ ହିଟ୍ କରିବା ପୂର୍ବରୁ ଧ୍ୱଂସ୍ତ କରିଛି।

ସାଉଦୀ ଆରବ ଆଶଙ୍କା କରୁଛି ଏହି ମିଜାଇଲ ଆକ୍ରମଣ ପଛରେ ହୁତୀ ବିଦ୍ରୋହୀଙ୍କ ହାତ ଥାଇପାରେ। ଏହି ସନ୍ଦେହର କାରଣ ହୁତୀ ଆତଙ୍କବାଦୀଙ୍କ ସହ ସାଉଦୀ ଆରବର ପୁରୁଣା ଶତ୍ରୁତା। ୟେମେନ ଗୃହ ଯୁଦ୍ଧରେ ସାଉଦୀ ଆରବ ହୁତୀଙ୍କ ବିରୋଧୀ ପକ୍ଷଙ୍କୁ ସମର୍ଥନ କରିଥିଲା ଓ ସେବେଠାରୁ ହୁତୀମାନେ ସାଉଦୀ ଆରବକୁ ସେମାନଙ୍କ ଟାର୍ଗେଟ କରିଆସୁଛନ୍ତି। ଅଗଷ୍ଟ ୨୦୧୨ରେ ହୁତୀମାନେ ସାଉଦୀ ଆରବର ଏକ ବଡ଼ ତୈଳ ରିଫାଇନାରୀ ଉପରେ ଆକ୍ରମଣ କରିଥିଲେ। ଏହା ପରେ ସାଉଦୀ ଆରବ ହୁତୀଙ୍କ ବିରୋଧୀ ଗୋଷ୍ଠୀଙ୍କୁ ସାମରିକ ସହଯୋଗ ବଢାଇ ଦେଇଥିଲା। ଏଣୁ ଏବେ ହୋଇଥିବା ମିଜାଇଲ ଆକ୍ରମଣ ପୁରୁଣା ଶତ୍ରୁତାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟସ ଅନୁସାରେ ଏହା ପୂର୍ବରୁ ୨୦୧୬ ମସିହାରେ ମକ୍କାକୁ ଟାର୍ଗେଟ୍ କରାଯାଇଥିଲା। ସେତେବେଳେ ସାଉଦୀ ଆରବ ପବିତ୍ର ସହର ନିକଟରେ ଏକ ବାଲିଷ୍ଟିକ୍ ମିଜାଇଲକୁ ମାରି ଖସେଇ ଦେଇଥିବାର ଦାବି କରିଥିଲା। ଏହି ମିଜାଇଲକୁ ହୁତୀମାନେ ୟେମେନ ସୀମାର ୫୦୦ କିଲୋମିଟର ଭିତରୁ ଫାୟାର କରିଥିଲେ।

ଏଥିରେ ଏବେ ହୁତୀଙ୍କ  ବୟାନ ଆସିଛି। ହୁତୀ ନେତା ମହମ୍ମଦ ଅଲ-ବଖୈତୀ ମିଜାଇଲ ଆକ୍ରମଣ ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଆମେ ନାଗରିକ ଓ ପବିତ୍ର ସ୍ଥଳକୁ କେବେ ଟାର୍ଗେଟ କରୁ ନାହୁଁ। ଅଲବଖୈତୀ କହିଛନ୍ତି ଯେ ସାମରିକ ମେଣ୍ଟର ଏପରି ଅଭିଯୋଗ ପଛରେ ଅସଲ କାରଣ ମୁସଲମାନ ଓ ଅନ୍ତର୍ଜାତୀୟ ସମୂଦାୟଙ୍କ ସହାନୁଭୂତି ହାସଲ କରିବାର ଉଦ୍ଦେଶ୍ୟ ଥାଇପାରେ।