ନୂଆବର୍ଷ ଛୁଟି କାଟିବାକୁ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ବିଜେପି

NEWS7
unknown-man-died-in-accident-in-patna

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ବିଦେଶ ଗସ୍ତ’ ସହ ଆରମ୍ଭ କରିଛନ୍ତି ନୂଆବର୍ଷ । ରାହୁଲ ଗାନ୍ଧୀ ଜାନୁଆରୀ ୧ ତାରିଖରେ ଭିଏତନାମ ଯାତ୍ରା କରିଛନ୍ତି । କଂଗ୍ରେସର ସୂତ୍ର ଆଧାରରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ରାହୁଲଙ୍କ ଏହି ଗସ୍ତ ବ୍ୟକ୍ତିଗତ ଏବଂ ସେ ପ୍ରାୟ ଗୋଟିଏ ସପ୍ତାହ ଛୁଟି ବିତାଇବା ପରେ ଘରକୁ ଫେରିବେ।

ଭିଏତନାମ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଜାନୁଆରୀ ୧ରେରାଜସ୍ଥାନର ରଣଥମ୍ବୋରରେ ପହଞ୍ଚିଥିଲେ । ସେଠାରେ ରାହୁଲଙ୍କ ଭଣଜା ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ନିର୍ବନ୍ଧ ଉତ୍ସବ ପାଳନ ହୋଇଥିଲା । ରେହାନଙ୍କ ଭାବୀ ପତ୍ନୀ ଅଭିଭା ବେଗଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ସଂସଦର ଶୀତକାଳୀନ ଅଧିବେଶନର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ ଜର୍ମାନୀ ଗସ୍ତ କରିଥିଲେ। କଂଗ୍ରେସ ଜାନୁଆରୀ ୫ ତାରିଖରୁ ‘Save MNREGA’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ରାହୁଲ ଗାନ୍ଧୀ ଭିଏତନାମ ଯାତ୍ରା କରିଛନ୍ତି ।

ସେପଟେ ରାହୁଲ ଗାନ୍ଧୀଙ୍କ ଭିଏତନାମ ଗସ୍ତକୁ ନେଇ ବିଜେପି କଟାକ୍ଷ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ‘ଆମେ ଭାଗ୍ୟବାନ ଯେ, ରାହୁଲ ଗାନ୍ଧୀ ତାଙ୍କର ଜର୍ମାନୀ ଏବଂ ଭିଏତନାମ ବିଦେଶ ଯାତ୍ରା ମଧ୍ୟରେ ରଣଥାମ୍ବୋରରେ କିଛି ସମୟ ବିତାଇବାର ସୁଯୋଗ ପାଇଲେ।’

କଂଗ୍ରେସର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଛୁଟିରୁ ଫେରି ‘ମନରେଗା ବଞ୍ଚାଅ ଅଭିଯାନ’ରେ ସାମିଲ ହେବେ । ଆଗାମୀ ମାସଗୁଡ଼ିକରେ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ଗସ୍ତ କରିବେ ରାହୁଲ ଗାନ୍ଧୀ । ବିଜେପି ବାରମ୍ବାର ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛି। ଏଥର କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ, ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ତାଚ୍ଛଲ୍ୟ କରିବାର ଆଉ ଏକ ସୁଯୋଗ ପାଇଛି ବିଜେପି। କିନ୍ତୁ କଂଗ୍ରେସ କହିଛି ଯେ, ଏହା ବ୍ୟକ୍ତିଗତ ଯାତ୍ରା ଏବଂ ରାହୁଲ ଗାନ୍ଧୀ ତାଙ୍କ କର୍ତ୍ତବ୍ୟରୁ ଓହରିବେ ନାହିଁ।