ବୌଦ୍ଧ ୧୧ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ କୃଷ୍ଣମୋହନପୁର ନିକଟ ମହାନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାସ୍ଥଳରେ ତଦନ୍ତ କରୁଛି ଆଦର୍ଶ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ କୃଷ୍ଣମୋହନପୁର ନଦୀ ଘାଟ ନିକଟ ମହାନଦୀ ମଧ୍ୟରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ୍ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ ପହଞ୍ଚି ଘଟଣାସ୍ଥଳରେ ମୃତଦେହକୁ ଉଦ୍ଧାର କରିଥିବା ବେଳେ ମୃତଦେହଟି ଗଳିତ ହୋଇଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ବୟସ ପ୍ରାୟ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ମୃତଦେହଟି ଏହି ସ୍ଥାନକୁ କେମିତି ଆସିଲା ? ନଦୀରେ ଭାସି ଅନ୍ୟ ସ୍ଥାନରୁ ଆସିଛି ନା ଏହି ବ୍ୟକ୍ତିଙ୍କୁ କିଏ ହତ୍ୟା କରି ଏହି ସ୍ଥାନରେ ଫିଙ୍ଗି ଦେଇଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ଆଦର୍ଶ ଥାନା ପୋଲିସ ।