ନିଆରା ପରମ୍ପରା, ଏହିଠାରେ ରାତିରେ ଟଣା ହୁଏ ରୁକୁଣା ରଥ

Published By : Prameya-News7 Bureau | April 17, 2024 IST

ଆଠଗଡ ୧୭।୪:  କଥାରେ ଅଛି ରୁକୁଣା ରଥ ଅଣ ଲେଉଟା । ପାରମ୍ପରିକ ଭାବରେ ଏହି ରଥ ଟଣା ହୋଇ ଗଲେ ଆଉ ଫେରେନା । ଆଠଗଡ଼ ବ୍ଲକ ରାଧାଦାମୋଦର ପୁର ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାଦେବଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି ଓଡିଶାର ଏକମାତ୍ର ସ୍ଥାନ ଯେଉଁଠାରେ ରାତିରେ ଟଣା ହୁଏ ରୁକୁଣା ରଥ । ସ୍ବତନ୍ତ୍ର ପରମ୍ପରାରେ ପ୍ରାୟ ୧୦୦ ବର୍ଷ ଧରି ଏହା ଟଣା ଯାଉଛି । 

ପବିତ୍ର ଅଶୋକାଷ୍ଟମୀ ତିଥିରେ  ଏହି ରଥଯାତ୍ରା  ସମସ୍ତ ରୀତିନୀତି ସହିତ ସମ୍ପନ୍ନ ହୋଇଛି । ସକାଳୁ ପହଡ଼ ଫିଟା ଠାରୁ ଆରମ୍ଭ କରି କଳସ ଯାତ୍ରା, ତିନି ଧୂପ ପାଞ୍ଚ ଅବକାଶ ନୀତି ସମ୍ପନ୍ନ ହେବାପରେ ଠାକୁର ଅଶୋକ କୁଣ୍ଡରେ ସ୍ନାନ କରି ମନ୍ଦିର ପ୍ରବେଶ କରିଥାନ୍ତି। ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତ ଏବଂ ଅଭିଷେକ ପରେ ରୁକୁଣା ରଥରେ ବିଜେ କରନ୍ତି । ସନ୍ଧ୍ୟାରେ   ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମବାସୀମାନେ ଆସି ଗ୍ରାମ ମୁରବୀ ଭାଗିରଥି କରଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବା ସହିତ ଗୋଟିଏ ଦିନର ରାଜା ଭାବେ ଅଭିଷେକ କରାଇ ବିରାଟ ଶୋଭାଯାତ୍ରାରେ ବାଣ ଫୁଟାଇ ଗ୍ରାମ ପରିକ୍ରମା କରାଇଥାନ୍ତି । ପରେ ତାଙ୍କ ଦ୍ବାରା ରଥ ଉପରେ  ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ରଥଟଣା ହୋଇ ଠାକୁର ମାଉସୀ ଘରକୁ ଯାଇଥାନ୍ତି । ସେଠାରେ ସ୍ବତନ୍ତ୍ର ମାଣ୍ଡୁଅ ଭୋଗ ଲାଗି ହେବା ପରେ ବିମାନରେ ଠାକୁର ଆସି ଯାତ୍ରା ପଡ଼ିଆରେ ପହଞ୍ଚିଥାନ୍ତି । 

ପାଖାପାଖି ଦୁଇ ଶହ ବର୍ଷର ଏହି ଅନନ୍ୟ ପରମ୍ପରା ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ବଂଶାନୁକ୍ରମେ ଏହି ଗ୍ରାମର ମୁରବୀ ଭାବରେ ଭାଗିରଥି କର ରଥ ଉପରେ ଆଜକୁ ୫୦ବର୍ଷ ଧରି ଛେରାପହଁରା ନୀତି କରି ଆସୁଛନ୍ତି । ବିଶ୍ବାସ ରହିଛି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ କୁଣ୍ଡରେ ସ୍ନାନ କଲେ ସମସ୍ତ ରୋଗ ଶୋକ ଦୂର ହେବା ସହିତ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିଥାଏ।

You Can Read :

ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍, ଭିତରେ ବିପୁଳ ପରିମାଣର ସୁନା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.