ବର୍ଥ ଖାଲି, ୩ ଘଣ୍ଟା ଧରି ଖୋଜା ଚାଲିଲା: ୧୬୨ କିଲୋମିଟର ଦୂରରୁ ମିଳିଲେ ଅଚେତ ଅବସ୍ଥାରେ

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ ୦୬/୦୫: ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ୩ ଘଣ୍ଟା ଧରି ମିଳିଲାନି ପତ୍ତା । ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ଗଟିଥିଲା ଏମିତି ଅଘଟଣ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯାଇଥିଲେ । ହଜରତ ନିଜାମୁଦ୍ଦିନ୍ ଷ୍ଟେସନରୁ ଟ୍ରେନରେ ବସିଥିବା ମନ୍ତ୍ରୀଙ୍କ ବର୍ଥ ରବିବାର ଦମୋହଠାରେ ଖାଲି ଦେଖିବାକୁ ମିଳିଥିଲା । 

ଖବର ଜଣାପଡିବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ରେଲୱେ ବିଭାଗ । ଅପହରଣ ସନ୍ଦେହରେ ଲାଗିପଡିଥିଲେ ସମସ୍ତେ । ଦୀର୍ଘ ୩ ଘଣ୍ଟାର କସରତ ପରେ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ମିଳିଥିଲେ । ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଖୋଜି ପାଇଲେ ରେଲୱେ କର୍ମଚାରୀ । ତେବେ ମନ୍ତ୍ରୀଙ୍କ ସିନା ପତ୍ତା ମିଳିଗଲା କିନ୍ତୁ ହାତଗୋଡ଼ରେ ଲାଗିଥିଲା ଗଭୀର ଆଘାତ । 

ସୂଚନା ଥାଉକି, ଶନିବାର ସେ ସଂପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ ନମ୍ବର ବି୩ ରେ ବର୍ଥ ନମ୍ବର ୫୭ ରେ ବସିଥିଲେ । ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ସୁଗାର ଲେବଲ କମି ଯାଇଥିଲା । ଫଳରେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା । ତାଙ୍କ ହାତ , ଗୋଡ଼ରେ ଆଘାତ ଲାଗିଥିଲା । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ମନ୍ତ୍ରୀ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । 

କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପିଏଙ୍କ କହିବାନୁସାରେ ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । କିନ୍ତୁ ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ହିଁ ନଥିଲା । କିନ୍ତୁ ସକାଳ ୬.୫୫ ସମୟରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ଯେହେତୁ ମନ୍ତ୍ରୀ ଆହତ ଅବସ୍ଥାରେ ମିଳିଥିଲେ ତେଣୁ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା । ପରେ ଜବଲପୁର ଅଣାଗଲା । 

ରେଲୱେର ବରିଷ୍ଠ ଡିଏସିଏମ ମଧୁର ବର୍ମା ଏବଂ ସିହୋରାର ଆରପିଏଫ୍ ପୋଷ୍ଟ୍ ପ୍ରଭାରୀ ରାଜୀବ ଖରବଙ୍କ କହିବାନୁସାରେ ସୂଚନା ମିଳିବା ମାତ୍ରେ ଷ୍ଟାଫଙ୍କୁ ଆଲର୍ଟ କରାଇ ଦିଆଯାଇଥିଲା । ଜବଲପୁର ପହଞ୍ଚିବା କ୍ଷଣି କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.