ତିଗିରିଆ ମେଡିକାଲରେ ଡାକ୍ତରଙ୍କ ଅଭାବ, ରୋଗୀ ହନ୍ତସନ୍ତ, ଆନ୍ଦୋଳନ ଚେତାବନୀ

NEWS7
harvard-university-grants-freezes-donald-trump-order-action-after-palestine-protest

ଆଠଗଡ଼: ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ। ବଢୁଛି ଜନଅସନ୍ତୋଷ । ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଅଞ୍ଚଳର ପ୍ରାୟ ୧ ଲକ୍ଷ ଲୋକ। ଡ଼ାକ୍ତରଖାନାରେ ଆବଶ୍ୟକ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଯେଉଁ ଡାକ୍ତର ନିୟୋଜିତ ଅଛନ୍ତି ସେମାନେ ପାଳିକରି କାର୍ଯ୍ୟ କରୁଛନ୍ତି। ଜରୁରୀ ସମୟରେ ଡାକ୍ତରଙ୍କୁ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧ ଜଣ ଡାକ୍ତରଙ୍କ ପଦବୀ ରହିଥିବା ବେଳେ ୬ଜଣ ଡାକ୍ତର ଏବେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ନିୟମିତ ଏବଂ ଆଉ ୩ ଜଣ ଚୁକ୍ତିଭିତ୍ତିକ ନିଯୁକ୍ତ ଅଛନ୍ତି। ଡାକ୍ତରଖାନାକୁ ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରକୁ ଠିକ୍ ସମୟରେ ଆସୁନଥିବାରୁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରହୁଛନ୍ତି।

ଦୈନିକ ଏଠାକୁ ଗୁରୁତର ରୋଗୀଙ୍କ ସହିତ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିବିଶେଷ ତ୍ୱରିତ ଚିକିତ୍ସା ପାଇଁ ଆସିଥାନ୍ତି। ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଅବ୍ୟବସ୍ଥା ତଥା ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ତିଗିରିଆର ସମାଜସେବୀ ତଥା ଆଇନଜୀବୀ ଗିରିଜା ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ସ୍ଵାସ୍ଥ୍ୟ କେନ୍ଦ୍ର ବୁଲିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।