LIVE TV

କେନ୍ଦ୍ରୀୟ କର୍ମଚାରୀଙ୍କୁ ଭେଟି, ମହଙ୍ଗା ଭତ୍ତା ୩% ବଢାଇଲେ ସରକାର

NEWS7
modi

ନୂଆଦିଲ୍ଲୀ: ଦୀପାବଳି ଠିକ୍ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଭେଟି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏହି ବୃଦ୍ଧି ସହ ଏବେ ମୋଟ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ବଢି ୫୮ ପ୍ରତିଶତ ହୋଇଯିବ । ସରକାରଙ୍କ ଏହି ନିଷ୍ପତ୍ତିରେ ୧.୧୫ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଲାଭ ମିଳିବ । ଜୁଲାଇ ୧ରୁ ପିଛିଲା ଭାବେ ଏହା ଲାଗୁ ହେବ ।

ମହଙ୍ଗା ଭତ୍ତା (DA) ଦରମା ଏବଂ ପେନସନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହା ମହାଙ୍ଗା ଦରରୁ କର୍ମଚାରୀ ଓ ପେନସନଭୋଗୀଙ୍କୁ ଆଶ୍ୱସ୍ତି ଦେଇଥାଏ । କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ସରକାର ମାର୍ଚ୍ଚ ୨୦୨୫ରେ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ ବର୍ତ୍ତମାନ ଘୋଷଣା ପରେ ଏହି ହାର ୫୮ ପ୍ରତିଶତରେ ପହଞ୍ଚିଛି । ସପ୍ତମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଆଧାରରେ ଏହି ବୃଦ୍ଧି କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ, ଅର୍ଥାତ୍ ଅକ୍ଟୋବର ୨୦୨୫ ଦରମା ସହିତ ପ୍ରଦାନ କରାଯିବ । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ତିନି ମାସର ଅତିରିକ୍ତ ମହଙ୍ଗା ଭତ୍ତା ଅକ୍ଟୋବର ଦରମା ସହିତ ମିଳିବ । ପ୍ରାୟ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଏହାର ଲାଭ ପାଇବେ ।