ରୋଜଗାର କରୁନଥିବା ପତ୍ନୀଙ୍କୁ ଛାଡପତ୍ର ଦେଲେ ଭରଣପୋଷଣ ଦେବାକୁ ସ୍ୱାମୀ ବାଧ୍ୟ, ଉଚ୍ଚ ଶିକ୍ଷିତା ହୋଇଥିଲେ ବି ଅଧିକାରରୁ ବଞ୍ଚିତ ହେବେନି ସ୍ତ୍ରୀ

NEWS7
union-budget-2025-fm-likely-to-announce-major-tax-reliefs-on-february-1

ନୂଆଦିଲ୍ଲୀ, ୦୮/୧୨: ଉଚ୍ଚ ଶିକ୍ଷିତା ଏବଂ କାର୍ଯ୍ୟଦକ୍ଷତା ଥିବା ମହିଳାଙ୍କୁ ସ୍ୱାମୀଙ୍କଠୁ ମିଳିବ ଭରଣପୋଷଣ ଅର୍ଥ । ବିବାହ ବିଚ୍ଛେଦ ପରେ ଜଣେ ଶିକ୍ଷିତ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମନା କରିହେବନି ବୋଲି କହିଛନ୍ତି କେରଳ ହାଇକୋର୍ଟ । ଜଷ୍ଟିସ କାଉସର ଏଡାପ୍ପାଗଥଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।

ଜଷ୍ଟିସ କାଉସର ଏଡାପ୍ପାଗଥଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସିଆରପିସିର ୧୨୫ ଧାରାରେ ରୋଜଗାର ଏବଂ ଭରଣପୋଷଣ ବାବଦରେ ଉଲ୍ଲେଖ ରହିଛି । କିନ୍ତୁ ଏଥିରେ ପତ୍ନୀ ରୋଜଗାର କରିବାକୁ ଯୋଗ୍ୟ ନା ନାହିଁ ସେନେଇ କିଛି ଉଲ୍ଲେଖ ନାହିଁ । ଯଦି କୌଣସି ଉଚ୍ଚ ଶିକ୍ଷିତା ପତ୍ନୀ ରୋଜଗାର କରୁନଥାନ୍ତି ତାହାଲେ ତାଙ୍କୁ ଭରଣପୋଷଣ ପାଇଁ ମନା କରାଯାଇପାରିବ ନାହିଁ । ଅର୍ଥାତ ସ୍ଥାୟୀ ରୋଜଗାର ଏବଂ ସ୍ୱାବଲମ୍ବୀ ନହେଲା ଯାଏଁ ବେକାର ଉଚ୍ଚ ଶିକ୍ଷିତା ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ପଡିବ । ଏହା ସେମାନଙ୍କ ଅଧିକାର । ଏହାସହ କେରଳ ହାଇକୋର୍ଟ ମେଘା କ୍ଷେତ୍ରପାଲ୍ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସହ ଅସହମତି ପ୍ରକାଶ କରିଛନ୍ତି ।

କ'ଣ ଥିଲା ମାମଲା ?

କେରଳର ଏକ ଫ୍ୟାମିଲି କୋର୍ଟରେ ଜଣେ ମହିଳା ତାଙ୍କର ଏବଂ ଶିଶୁଙ୍କ ଭରଣପୋଷଣ ପାଇଁ ସ୍ୱାମୀଙ୍କ ଠାରୁ ମାସିକ ୧୫୦୦୦ ଏବଂ ୭୦୦୦ ଟଙ୍କା ଦାବି କରିଥିଲେ । ଯାହାକୁ ଚ୍ୟାଲେଞ୍ଚ୍ କରିଥିଲେ ସ୍ୱାମୀ । ମହିଳାଜଣଙ୍କ ଉଚ୍ଚ ଶିକ୍ଷିତା ଏବଂ ସେ ରୋଜଗାର କରିପାରିବେ ବୋଲି ସ୍ୱାମୀ ଯୁକ୍ତି କରିଥିଲେ । ପରେ କୋର୍ଟ ଏହି ଭରଣପୋଷଣ ରାଶିକୁ ଯଥାକ୍ରମେ ୬୦୦୦ ଏବଂ ୪୫୦୦ ଟଙ୍କା କରିଥିଲେ । ଯାହାପରେ ସ୍ୱାମୀ ରାୟର ପୁନଃବିଚାର ପାଇଁ ଆବେଦନ କରିଥିଲେ । ପରେ ମାମଲା ହାଇକୋର୍ଟକୁ ଯାଇଥିଲା ।

କଣ କହିଛନ୍ତି ହାଇକୋର୍ଟ

କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପତ୍ନୀ ଉଚ୍ଚଶିକ୍ଷିତା ତେଣୁ ତାଙ୍କୁ ଭରଣପୋଷଣ ଅର୍ଥ ଦିଆ ନଯିବା ଯୁକ୍ତି ଭିତ୍ତିହୀନ ଅଟେ । ପତ୍ନୀଙ୍କୁ ରୋଜଗାରକ୍ଷମ ଦର୍ଶାଇ ଭରଣପୋଷଣ ଅର୍ଥରୁ ବାଦ୍ ଦିଆଯାଇପାରିବ ନାହିଁ । ସିଆରପିସିର ୧୨୫ ଏବଂ ବିଏନଏସଏସର ୧୪୪ ଧାରା ଅନୁସାରେ ସାମାଜିକ ନ୍ୟାୟକୁ ଗୁରୁତ୍ୱ ଦିଆଯାଇଛି । ସମ୍ବିଧାନର ଧାରା ୩୯ ମଧ୍ୟ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଥାଏ । ତେଣୁ କୋର୍ଟ ସର୍ବଦା ଜଣେ ମହିଳା, ଶିଶୁଙ୍କୁ ଅଧିକାର ମିଳୁଛି ନା ନାହିଁ ସେଦିଗରେ ଯତ୍ନବାନ ହେବା ଆବଶ୍ୟକ ।