ବାଂଲାଦେଶ ବାହାରିଲେ ଏହି ଦଳକୁ ଟି-୨୦ରେ ମିଳିବ ଏଣ୍ଟ୍ରି, ୨୧ରେ ଆସିବ ICCର ଅନ୍ତିମ ନିଷ୍ପତ୍ତି !

NEWS7
under-construction-bridge-collapsed-in-bonai

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ଆରମ୍ଭ ହେବାକୁ ଏବେ କେବଳ ଦୁଇ ସପ୍ତାହ ସମୟ ବଞ୍ଚିଛି। ତଥାପି ଏ ପର୍ଯ୍ୟନ୍ତ ବିଶ୍ଵକପରେ ବାଂଲାଦେଶ ଦଳ ଖେଳିବ କି ନାହିଁ ତାକୁ ନେଇ ଅଚଳାବସ୍ଥା ଜାରି ରହିଛି। କାରଣ ବାଂଲାଦେଶ ଏ ପର୍ଯ୍ୟନ୍ତ ଭାରତରେ ନିଜର ମ୍ୟାଚ୍ ନ ଖେଳିବା ନିଜ ଜିଦରେ ଅଟଳ ରହିଛି। ଦଳର ମ୍ୟାଚ୍ ପାକିସ୍ତାନ କିମ୍ବା ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ ଦାବି କରି ଆସିଛି ବାଂଲାଦେଶ। ମାତ୍ର ଆଇସିସି ବାଂଲାଦେଶକୁ ଚରମ ଚେତାବନୀ ଦେଇଛି। ଆଇସିସି ସ୍ପଷ୍ଟ ଭାବେ କହି ଦେଇଛି ଯେ, ବାଂଲାଦେଶକୁ ଟି-୨୦ ବିଶ୍ଵକପର ମ୍ୟାଚ୍ ଭାରତରେ ଖେଳିବାକୁ ପଡ଼ିବ।

ଆଇସିସି ବାଂଲାଦେଶକୁ ଜାନୁଆରୀ ୨୧ ତାରିଖ ସୁଦ୍ଧା ଶେଷ ସମୟ ସୀମା ଦେଇଛି। ଆଇସିସି ସ୍ପଷ୍ଟ କରି ଦେଇଛି ଯେ, ଯଦି ବାଂଲାଦେଶ ଭାରତ ଆସିବାକୁ ମନା କରେ ତେବେ ଅନ୍ୟ ଦଳକୁ ସାମିଲ୍ କରାଯିବ। ଅର୍ଥାତ ବାଂଲାଦେଶର ବିଶ୍ଵ କପରୁ ବିଦା ହେବ। ତେବେ ପ୍ରଶ୍ନ ଉଠୁଛି ଯଦି ବାଂଲାଦେଶ ବାହାର ହୁଏ ତେବେ କେଉଁ ଦଳ ଖେଳିପାରେ।

ଏମିତି ସ୍ଥିତି ଉପୁଜିଲେ ବାଂଲାଦେଶ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ବିଶ୍ଵକପରେ ଖେଳିବାର ସୁଯୋଗ ମିଳିପାରେ। ଆଇସିସି ଟି-୨୦ ମାନ୍ୟତାରେ ବାଂଲାଦେଶ ନବମ ସ୍ଥାନରେ ରହିଛି। ଏହା ପରେ ଆଫଗାନିସ୍ତାନ, ଆୟରଲାଣ୍ଡ, ଜିମ୍ବାଓ୍ଵେ ଓ ନେଦରଲାଣ୍ଡର ନାଁ ଅଛି। ମାତ୍ର ଏହି ସବୁ ଦଳ ବିଶ୍ଵକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏହା ପରେ ୧୪ତମ ସ୍ଥାନରେ ସ୍କଟଲାଣ୍ଡର ନାଁ ରହିଛି। ଯଦି ବାଂଲାଦେଶ ବାହାର ହୁଏ ତେବେ ଆଇସିସି ସ୍କଟଲାଣ୍ଡକୁ ସୁଯୋଗ ଦେବ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଏବେ ମାତ୍ର ତିନି ସପ୍ତାହରୁ କମ ସମୟ ରହିଛି। ବାଂଲାଦେଶର ପ୍ରଥମ ମୁକାବିଲା ଫେବୃଆରୀ ୭ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ରହିଛି। ଏହା ପରେ ଫେବୃଆରୀ ୯ରେ ଇଟାଲୀ ଓ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ମ୍ୟାଚ୍ ଖେଳିବ ଆମର ଏହି ପଡ଼ୋଶୀ ଦେଶ। ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ଫେବୃଆରୀ ୧୭ରେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ନେପାଲ ବିପକ୍ଷରେ ରହିଛି।

କାର୍ଯ୍ୟସୂଚୀ ବଦଳିବା ଅସମ୍ଭବ

ଆଇସିସିର କହିବା କଥା ଏତେ କମ ସମୟରେ କାର୍ଯ୍ୟସୂଚୀ ବଦଳାଇବା ଲଜିଷ୍ଟିକ, ବ୍ରଡକାଷ୍ଟିଂ ଓ ଟିକେଟିଂ ଦୃଷ୍ଟିରୁ ଅସମ୍ଭବ। ପୁଣି ଭାରତରେ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଆଇସିସି ପ୍ରତ୍ୟାଖ୍ୟାନ କରି ସାରିଛି। ବିସିବି ପ୍ରସ୍ତାବ ଦେଇଥିଲା ଯେ, ବାଂଲାଦେଶ ଓ ଆୟରଲାଣ୍ଡର ଗ୍ରୁପ ପରସ୍ପରରେ ବଦଳି କରାଯାଉ। ଯଦ୍ଵାରା ବାଂଲାଦେଶ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳି ପାରିବ।

ସେପଟେ କ୍ରିକେଟ୍ ଆୟରଲାଣ୍ଡ ସ୍ପଷ୍ଟ ଶବ୍ଦରେ କହି ଦେଇଛି ଯେ, ନିଜର ମ୍ୟାଚକୁ ନେଇ ସୁନିଶ୍ଚିତ ଗ୍ୟାରେଣ୍ଟି ମିଳି ସାରିଛି। ଏହାର କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଇସିସିର କହିବା କଥା ଗ୍ରୁପ ବଦଳାଇଲେ ବ୍ରଡକାଷ୍ଟର୍ସ, ଟିକେଟ୍ ପାର୍ଟନର୍ସ ଓ ବାକି ଦଳ ସହିବ ବିବାଦ ସୃଷ୍ଟି ହେବ। ଆଇସିସି ଦ୍ଵାରା ସମସ୍ତ ୨୦ ଟିମକୁ ସେୟାର କରାଯାଇଥିବା ସ୍ଵତନ୍ତ୍ର ସୁରକ୍ଷା ରିପୋର୍ଟରେ ଭାରତକୁ ମଧ୍ୟମରୁ ଉଚ୍ଚ ଧମକ ଶ୍ରେଣୀର ବର୍ଗରେ ରଖା ଯାଇଛି, ଯାହା ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ରହିଥାଏ।

ଖାସ୍ କଥା ଏହି ରିପୋର୍ଟରେ ବାଂଲାଦେଶ ପ୍ରତି ସେମିତି କୌଣସି ବିପଦ ନ ଥିବା କୁହାଯାଇଛି। ଆଇସିସି ଅନେକ ଥର ଏହି କଥାକୁ ବାଂଲାଦଶ ବୋର୍ଡକୁ ବୁଝାଇ ସାରିଛି। ମାତ୍ର ବାଂଲାଦେଶ ସରକାରଙ୍କ ସମର୍ଥନ କାରଣରୁ ବିସିବି ନିଜ ଜିଦରେ ଅଟଳ ରହିଛି। ଯଦି ଆଗାମୀ ୭୨ ଘଣ୍ଟାରେ ବାଂଲାଦେଶ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ନ କରେ ତେବେ ଟି-୨୦ ବିଶ୍ଵକପ୍ ୨୦୨୬ ବାଂଲାଦେଶ ବିନା ଆଗକୁ ବଢିବ।