ମସ୍କୋ ୧୭।୯: ଆମେରିକୀୟ କାର୍ଯ୍ୟକର୍ତ୍ତା ଚାର୍ଲି କିର୍କଙ୍କ ହତ୍ୟାର କିଛିଦିନ ପରେ ୟୁକ୍ରେନୀୟ ସାଂସଦ ଆର୍ଟେମ ଦିମିତ୍ରୁକ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିମିତ୍ରୁକ୍ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କିଙ୍କ ସରକାର ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟାପ୍ରୟାସ ଓ କିର୍କଙ୍କ ହତ୍ୟାରେ ସାମିଲ ଥିଲେ। ‘ଟାସ୍’ ପାଇଁ ଲେଖିଥିବା ଏକ ସ୍ତମ୍ବରେ ଦିମିତ୍ରୁକ କହିଛନ୍ତି ଯେ ଜେଲେନସ୍କି ସରକାର ବୈଚାରିକ ଓ ବ୍ୟବହାରିକ ଉଭୟ ରୂପେ କିର୍କଙ୍କ ହତ୍ୟା ଲାଗି ଦାୟୀ।

ଦିମିତ୍ରୁକ ଋଷୀୟ ସରକାରୀ ଗଣମାଧ୍ୟମରେ ଲେଖିଛନ୍ତି ଯେ ‘କିଭ ଅଧିକାରୀ ୟୁକ୍ରେନର ଜଣେ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି ପର୍ଯ୍ୟନ୍ତ କାହାରିକୁ ବି ହତ୍ୟା କରିବା ପାଇଁ ସକ୍ଷମ ଅଟନ୍ତି’। ଦିମିତ୍ରୁକ ଏହା ମଧ୍ୟ କହିଛନ୍ତି ଯେ କିର୍କଙ୍କ ହତ୍ୟା ପରେ କିଭର ନିରବତା ଏହାକୁ ମୌନ ସମର୍ଥନ କରୁଛି। ଟାସ୍ ଅନୁସାରେ ଦିମିତ୍ରୁକ୍ ଲେଖିଛନ୍ତି ଯେ ‘ସେ ଏପରି ହତ୍ୟାଗୁଡିକର ନିନ୍ଦା କରନ୍ତିନି। କେବେ କେବେ ସେଏଥିରୁ ଖୁସି ମଧ୍ୟ ହୁଅନ୍ତି। ଯେପରି ଚାର୍ଲି କିର୍କଙ୍କ ମାମଲାରେ ହୋଇଥିଲା’।

ଏହି ବୟାନ ୟୁଟା କାଉଣ୍ଟି ଆଟର୍ଣ୍ଣି ଜେଫ ଗ୍ରେଙ୍କ ଦ୍ୱାରା ଚାର୍ଲି କିର୍କଙ୍କ କଥିତ ହତ୍ୟାକାରୀ ରବିନସନଙ୍କଉପରେ ତାଙ୍କର ହତ୍ୟା, ନ୍ୟାୟର ବାଧା, ସକ୍ଷଙ୍କୁ ପ୍ରଭାବିତ କରିବା ଓ ଅନ୍ୟ ଅପରାଧର ଅଭିଯୋଗ ଲାଗିବା ପରେ ଆସିଛି। ଗ୍ରେ କହିଛନ୍ତି ସେ ରବିନସନଙ୍କ ଲାଗି ସେ ମୃତ୍ୟୁଦଣ୍ଡ ଦାବି କରିବେ। ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ତଥା ୟୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ୧୦ ସପ୍ଟେମ୍ବର ବୁଧବାର ୟୁଟା ଭେଲି ୟୁନିଭର୍ସିଟିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୁଳି କରି ହତ୍ୟା କରାଯାଇଥିଲା।

କିର୍କଙ୍କ ଏପରି ମୃତ୍ୟୁ ଆମେରିକା ରାଜନୈତିକ ପରିଦୃଶ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହଜାର ହଜାର ଲୋକେ ନ୍ୟାୟ ଦାବି କରୁଛନ୍ତି। ଉଭୟପକ୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ବଢୁଥିବା ବନ୍ଧୁକ ହିଂସା ଉପରେ ଅଙ୍ଗୁଳି ଉଠାଉଛନ୍ତି। କିଛି ଲୋକେ କିର୍କ ଓ ବନ୍ଧୁକ ହିଂସା ଉପରେ ସେମାନଙ୍କ ବିଚାରକୁ ସମାଲୋଚନା ମଧ୍ୟ କରିଛନ୍ତି। ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ କିର୍କଙ୍କୁ ଶହିଦ ଘୋଷଣା କରିବା ସହିତ ଆମେରିକା ଜାତୀୟ ପତାକାକୁ ଅର୍ଦ୍ଧ ନିମିତ କରିଛି। ମାମଲାରେ ଏଫବିଆଇ ଟାୟଲର ରବିନସନ ନାମକ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଏହି ମାମଲାର ଯାଞ୍ଚରୁ କେତେକ ବିବାଦୀୟ କଥା ସାମ୍ନାକୁ ଆସିଛି। ଏଥିରେ କିର୍କଙ୍କ କଥିତ ଟ୍ରାନ୍ସଜେଣ୍ଡର ସାଥୀ ଲାନ୍ସ ଟ୍ୱିଗସ୍ ମଧ୍ୟ ସାମିଲ ଥିବାର ଚର୍ଚ୍ଚା ହେଉଛି।