ୟୁକ୍ରେନ ରାଷ୍ଟ୍ରପତିଙ୍କ ଭିଜୁଆଲ ଡିପ୍ଲୋମାସିକୁ ନେଇ ଚର୍ଚ୍ଚା, ନାଟୋ ସମ୍ମିଳନୀରେ ପିନ୍ଧିଲେ ସୁଟ୍...

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ ୨୬/୦୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି । ବିଶ୍ୱ ରାଜନୀତିର ଚର୍ଚ୍ଚିତ ଚେହେରା । ଜଣେ କାର୍ଟୁନିଷ୍ଟ କମେଡିଆନରୁ ସଫଳ ରାଜନେତା । ଦିନେ ଯୁଦ୍ଧ ମୈଦାନରେ ଯବାନଙ୍କ ସହ କାନ୍ଧ ମିଳାଇ ଚାଲୁଥିବା ନେତା ଆଜି ନଜର ଆସିଛନ୍ତି ଡିଫରେଣ୍ଟ ଲୁକ୍‌ରେ । ସାମରିକ ରଣନୀତି ସହ ତାଙ୍କ ପରିଧାନକୁ ନେଇ ଚର୍ଚ୍ଚା ଜୋର୍ । ବିଶ୍ୱ ଦରବାରରେ ସେ ଏବେ ଫେମସ । 


ନେଦରଲ୍ୟାଣ୍ଡର ହେଗରେ ଅନୁଷ୍ଠିତ ସାମ୍ପ୍ରତିକ ନାଟୋ ସମ୍ମିଳନୀରେ, ଜେଲେନ୍ସକି ନୂଆ ରୂପରେ ନଜର ଆସିଛନ୍ତି । ବ୍ଲାକ କଲର ସୁଟ୍-ଜ୍ୟାକେଟ୍ ଶହ ପିନ୍ଧିଥିଲେ ସାର୍ଟ । ହେଲେ ଟାଇ ନଥିଲା । ତେବେ ତାଙ୍କର ଏହି ଲୁକ୍ ଚର୍ଚ୍ଚା କିଛି ମାସ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବି ହୋଇଥିଲା । ହ୍ୱାଇଟ୍ ହାଉସ୍ ବୈଠକରେ ତାଙ୍କ ପୋଷାକ ପାଇଁ ସମାଲୋଚନା କରାଯାଇଥିଲା।

ଫେବୃଆରୀ ମାସରେ ଓଭାଲ୍ ଅଫିସ୍ ବୈଠକ ସମୟରେ, ଜେଲେନ୍ସକି ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଜଣେ ସାମ୍ବାଦିକ, ବ୍ରାଏନ୍ ଗ୍ଲେନ୍, ଜେଲେନ୍ସକିଙ୍କୁ ପଚାରିଥିଲେ ଯେ ସେ "ଦେଶର ସର୍ବୋଚ୍ଚ ସ୍ତରୀୟ କାର୍ଯ୍ୟାଳୟ"କୁ ଆସିବା ସମୟରେ କାହିଁକି ସୁଟ୍ ପିନ୍ଧି ନଥିଲେ । ଏହାର ଉତ୍ତରରେ ଜେଲେନ୍ସକି କହିଥିଲେ, "ଯୁଦ୍ଧ ସମାପ୍ତ ହେବା ପରେ ମୁଁ ଏକ ସୁଟ୍ ପିନ୍ଧିବି, ହୁଏତ ତୁମ ପରି, କିମ୍ବା ହୁଏତ ତା'ଠାରୁ ଭଲ ।

ସେହି ସମୟରେ ଟ୍ରମ୍ପଙ୍କ ପାଖରେ ବସିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଏହି ପ୍ରଶ୍ନରେ ହସୁଥିବାର ଦେଖାଯାଇଥିଲା । ୨୦୨୨ରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରଠାରୁ, ଜେଲେନ୍ସକିଙ୍କୁ ଅଧିକାଂଶ ସମୟରେ ସାମରିକ ପୋଷାକରେ ଦେଖିବାକୁ ମିଳିଛି । ଯେପରିକି କଳା କିମ୍ବା ଅଲିଭ୍ ରଙ୍ଗର ଟି-ସାର୍ଟ, କାର୍ଗୋ ପ୍ୟାଣ୍ଟ ଏବଂ ଯୁଦ୍ଧ ବୁଟ୍। ସେ ୟୁକ୍ରେନୀୟ ସୈନିକଙ୍କ ସହିତ ଏକତା ଦେଖାଇବା ପାଇଁ ଏହି ପୋଷାକ ବାଛିଥିଲେ । ଅନେକ ଅନ୍ତର୍ଜାତୀୟ ଗସ୍ତରେ ଜେଲେନ୍ସକିଙ୍କୁ ମଧ୍ୟ ଏହି ଶୈଳୀରେ ଦେଖାଯାଇଥିଲା।

ଏପ୍ରିଲରେ ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର ସମୟରେ ଯେତେବେଳେ ସେ ରୋମରେ ପୁଣିଥରେ ଟ୍ରମ୍ପଙ୍କୁ ଭେଟିଥିଲେ । ଜେଲେନ୍ସକି ଏକ କଳା ଫିଲ୍ଡ ଜ୍ୟାକେଟ୍ ଓ ସାର୍ଟ ପିନ୍ଧିଥିଲେ ।  ଟାଇ ନଥିଲା। ସମାନ ଲୁକ୍‌ରେ ସେ ଲଣ୍ଡନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଓ ହେଗରେ ଡଚ୍ ରାଜାଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ ମଧ୍ୟ ଯୋଗ ଦେଇଥିଲେ। ପ୍ରସିଦ୍ଧ ୟୁକ୍ରେନୀୟ ଫ୍ୟାଶନ୍ ପତ୍ରିକା ELLE ଜେଲେନସ୍କିଙ୍କ ପରିବର୍ତ୍ତିତ ଲୁକ୍‌କୁ ଏକ ନୂତନ ପ୍ରକାରର ଦୃଶ୍ୟ କୂଟନୀତି" ଭାବରେ ବର୍ଣ୍ଣନା କରିଛି। ତାଙ୍କର ପରିବର୍ତ୍ତିତ ଶୈଳୀକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.