ଚାଉଳ ଉତ୍ପାଦନରେ ଚୀନକୁ ପଛରେ ପକାଇଲା ଭାରତ, ହେଲା ବିଶ୍ୱର ନମ୍ବର -୧ ଦେଶ

NEWS7
two-person-died-in-electric-shock-at-bhadrak

ନୂଆଦିଲ୍ଲୀ ୫।୧: ବୈଶ୍ୱିକ ମଞ୍ଚରେ ଭାରତ ଓ ଚୀନ୍ ମଧ୍ୟରେ ବର୍ଚ୍ଚସ୍ୱର ଲଢେଇ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। କେତେକ ସେକ୍ଟରରେ ଏହି ପ୍ରତିଦ୍ୱନ୍ଦ୍ୱୀତା ଏବେ ରଣନୈତିକ ଟକ୍କର ରୂପେ ନେଇଛି। ଭାରତର ଇଛା ଗ୍ଲୋବାଲ ସପ୍ଲାଇ ଚେନ୍ର କେନ୍ଦ୍ର ହେବାକୁ, ତେବେ ଏହି ଲକ୍ଷ୍ୟ ହାସଲ କରିବା ଏତେ ସହଜ ନୁହେଁ। ଏଥିପାଇଁ ଚୀନକୁ ବିଭିନ୍ନ କ୍ଷେତ୍ରରେ ପଛରେ ପକାଇବାକୁ ପଡିବ। ଏପରି କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ତାହା ହେଉଛି ଚାଉଳ ଉତ୍ପାଦନରେ ଚୀନ୍କୁ ପଛରେ ପକାଇଛି।

ଚାଉଳ ଉତ୍ପାଦନରେ ଚୀନ୍ କୁ ଭାରତ ପଛରେ ପକାଇଥିବା ନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତିଯେ ଭାରତର ମୋଟ ଚାଉଳ ଉତ୍ପାଦନ ୧୫.୧୮ କୋଟି ଟନକୁ ପହଞ୍ଚିଛି। ଏଥିରେ ଚୀନ୍ର ଉତ୍ପାଦନ ୧୪.୫ କୋଟି ଟନରେ ସୀମିତ ରହିଛି। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ କହିଛନ୍ତି ଯେ ଭାରତ ୨୫ଟି ଫସଲର ୧୮୪ଟି ଉନ୍ନତ କିସମ ଜାରି କରିଛି। ଏହି କିସମ ଗୁଡିକୁ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ୱାରା ବିକଶିତ କରାଯାଇଛି।

ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ନା କେବଳ ଫସଲ ଉତ୍ପାଦନ ବଢିବ ଚାଷୀଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ। ଏଣୁ ନୂଆ ଅଧିକ ଅମଳକ୍ଷମ ବିହନ କିସମ ଯେତେ ଶୀଘ୍ର ସମ୍ଭବ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷିମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷିମନ୍ତ୍ରୀ କହିଛନ୍ତି ଯେ ୧୯୬୯ ମସିହାରେ ଗେଜେଟ ଅଧିସୂଚନା ପ୍ରକ୍ରିୟା ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୭,୨୦୫ ଫସଲ କିସମକୁ ଅଧିସୂଚିତ କରାଯାଇଛି। ଏଥିରେ ଧାନ, ଗହମ, ମକ୍କା, ଜଅ, ବିଭିନ୍ନ କିସମର ଡାଲି ଓ ତୈଳବିଜ ଆଦି ଫସଲ ରହିଛି।

ସେ କହିଛନ୍ତି ଯେ ୨୦୧୪ ମସିହା ପରେ ମୋଦି ସରକାର ସବୁଠୁ ଅଧିକ ୩,୨୩୬ ଅଧିକ ଅମଳକ୍ଷମ କିସମକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ନିଅଣ୍ଟିଆ ଦେଶ ଭାରତ ବୈଶ୍ୱିକ ଖାଦ୍ୟ ଯୋଗାଣକାରୀରେ ପରିଣତ ହୋଇଛି। ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶଶ୍ୟ ଭଣ୍ଡାର ମହଜୁଦ ଅଛି। ଏଣୁ ଦେଶର ଖାଦ୍ୟ ସୁରକ୍ଷା ଏବେ ସମ୍ପୂର୍ଣ୍ଣ ସୁନିଶ୍ଚିତ ହୋଇଛି। ସେ କହିଛନ୍ତି ଯେ ଭାରତ ଏବେ ବିଦେଶୀ ବଜାରକୁ ଚାଉଳ ରପ୍ତାନୀ କରୁଛି।

କୃଷିମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ଅନୁକୂଳ ଓ ଅଧିକ ଅମଳକ୍ଷମ ବିହନ ଆବିଷ୍କାର ଯୋଗୁ ଭାରତ କୃଷି କ୍ରାନ୍ତିର ଏକ ନୂଆ ଯୁଗରେ ପହଞ୍ଚିଛି। ନୂଆକରି ଜାରି ହୋଇଥିବା ୧୮୪ ଅଧିକ ଅମଳକ୍ଷମ କିସମ ବିହନ ଚାଷୀଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ ଓ କୃଷି କ୍ଷେତ୍ରକୁ ନୂଆ ମଜଭୁତି ମିଳିବ।