LIVE TV

‘ନୋବେଲ୍ ଲାଳସାରେ ଭାରତ ସହ ସମ୍ପର୍କ ଖରାପ କଲେ’: ଇମାନୁଏଲ୍

NEWS7
trump

​​​​​​​ନୂଆଦିଲ୍ଲୀ: ଆମେରିକାର ଶୀର୍ଷ ଡେମୋକ୍ରାଟିକ ନେତା ତଥା ପୂର୍ବତନ ରାଷ୍ଟ୍ରଦୂତ ରହମ ଇମାନୁଏଲ୍ ରାଷ୍ଟ୍ରପତି ଡୋନାଲ୍ଡଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଲୋଭରେ ଭାରତ ସହ ୪୦ ବର୍ଷର ରଣନୀତିକ ସହଭାଗିତାକୁ ବାଜିରେ ଲଗାଇ ଦେଇଛନ୍ତି । କେବଳ ଏକିତି ନୁହେଁ, ପାକିସ୍ତାନ ସହ ଟ୍ରମ୍ପଙ୍କ ଘନିଷ୍ଠତା ଉପରେ ମଧ୍ୟ ଇମାନୁଏଲ ପ୍ରଶ୍ନ କରିଛନ୍ତି । ସେ ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ପୁଅଙ୍କୁ ଇସଲାମାବାଦରୁ ଟଙ୍କା ମିଳୁଛି । ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନା ଓ ଟ୍ରମ୍ପଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଇମାନୁଏଲ୍ କହିଛନ୍ତି, ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଚାପ ପକାଇଥିଲେ ଓ ନିଜର ଉପଲବ୍ଧି ପ୍ରଚାର କରି ନୋବେଲ ପୁରସ୍କାର ଦାବି କରିଥିଲେ । ପାକିସ୍ତାନୀ ସେନାର ଅନୁରୋଧରେ ଭାରତ ଅପରେସନ ସିନ୍ଦୂର ବନ୍ଦ କରିଥିଲା । କିନ୍ତୁ ଟ୍ରମ୍ପ ଅତି କମରେ ୫୦ ଥର ଦାବି କରିସାରିଲେଣି ଯେ ୨୦୦ ପ୍ରତିଶତ ଟାରିଫ୍ ଧମକ ଦେଇ ଦୁଇ ଦେଶଙ୍କୁ ରାଜି କରାଇଥିଲେ ।

ବାରାକ ଓବାମା ପ୍ରଶାସନରେ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ରହିଥିବା ଇମାନୁଏଲ୍ ଏକ ସାକ୍ଷାତକାରରେ କହିଛନ୍ତି, ଭାରତ, ଆମେରିକା ପାଇଁ ଚୀନ ବିରୁଦ୍ଧରେ ବିନିର୍ମାଣ, ପ୍ରଯୁକ୍ତି ଓ ସୈନ୍ୟ କ୍ଷେତ୍ରରେ ଏକ ମଜଭୁତ ସହଯୋଗୀ ହୋଇଥାନ୍ତା । କିନ୍ତୁ ଟ୍ରମ୍ପ ନିଜ ଅହଂକାର ଓ ନୋବେଲ ଲାଳସାରେ ଏହି ସୁଯୋଗକୁ ହରାଇ ବସିଲେ । ସେ ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଦି ଓ ପାକିସ୍ତାନ ସହ ଘନିଷ୍ଠ ହୋଇ ୪୦ ବର୍ଷର ପରିଶ୍ରମକୁ ବରବାଦ କରିଛନ୍ତି ।

ସେ କହିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍ ପ୍ରଶାସନ ଦ୍ୱାରା ଭାରତ ସହ ନିର୍ମାଣ କରାଯାଇଥିବା ସମ୍ପର୍କକୁ, ଏପରି କି ନିଜର ପ୍ରଥମ ସରକାର ସମୟର ପ୍ରଗତିକୁ, ନିଜ ଅହଂକାର ଓ ପାକିସ୍ତାନରୁ ମିଳିଥିବା ଟଙ୍କା ପାଇଁ କୁର୍ବାନ କରିଛନ୍ତି ।"

ଟ୍ରମ୍ପଙ୍କ ପୁଅ ଓ ତାଙ୍କ ସହଯୋଗୀ ଷ୍ଟିଭ୍ ବିଟକକ୍‌ଙ୍କ ପୁଅ ଜ୍ୟାକ୍ ବିଟକକ୍‌ ପାକିସ୍ତାନରୁ ଟଙ୍କା ନେଉଥିବା ସେ ଅଭିଯୋଗ କରିଛନ୍ତି । ଜ୍ୟାକ୍ ବିଟକକ୍ ୨୦୨୫ ଏପ୍ରିଲରେ ପାକିସ୍ତାନ କ୍ରିପ୍ଟୋ କାଉନସିଲ୍ ସହ ଡିଜିଟାଲ୍ ବିତ୍ତୀୟ ନେଣଦେଣକୁ ପ୍ରୋତ୍ସାହାନ ଦେବା ପାଇଁ ଏକ ବୁଝାମଣା କରିଥିଲେ । ଏହି କମ୍ପାନିର ଡୋନାଲ୍ଡ ଟ୍ରମ୍ପ ଜୁନିଅର, ଏରିକ ଟ୍ରମ୍ପ ଓ ଜାରେଡ କୁଶନର ଅଂଶିଦାର ଅଛନ୍ତି । ଇମାନୁଏଲ୍ ଏହାକୁ ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି ନରମ ନୀତି ବୋଲି କହିଛନ୍ତି ।