ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଘୋଷଣା ଆମେରିକୀୟ ବଜାର ପାଇଁ କାଳ ହୋଇଛି । ଆମେରିକାର ସେୟାର ମାର୍କେଟରେ କମ୍ପନ ସୃଷ୍ଟି କରିଛି । ଡାଓ ଜୋନ୍ସଠାରୁ ଆରମ୍ଭ କଲେ ନ୍ୟାସଡେକ୍ ଓ S&P ୫୦୦ ସବୁ ଧରାଶାୟୀ ହୋଇଛନ୍ତି । ଏସ୍ଆଣ୍ଡପି ୫୦୦ରେ ୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । S&P ୫୦୦ରେ ଗୁରୁବାର କାରବାର ଆରମ୍ଭଠୁ ୧.୭ ଟ୍ରିଲିୟନ୍ ଡଲାର ବୁଡ଼ି ଯାଇଛି । ଡାଓ ଜୋନ୍ସରେ ୩.୫୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ନ୍ୟାସଡେକ୍ ପ୍ରାୟ ୫ ପ୍ରତିଶତ ଖସି କାରବାର କରୁଛି । ଯାହା ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ଟ୍ରମ୍ପଙ୍କ ଟାରିଫ୍ ପ୍ଲାନକୁ ଆମେରିକୀୟ ସେୟାର ବଜାର ଗ୍ରହଣ କରୁ ନାହିଁ । ଏହାର କାରଣ ରେସିପ୍ରୋକାଲ୍ ଟ୍ୟାକ୍ସ ଯୋଗୁଁ ଆମେରିକୀୟ କମ୍ପାନିଗୁଡ଼ିକୁ ବଡ଼ ଧରଣ କ୍ଷତି ହେଉଥିବା ଅନୁମାନ କରାଯାଉଛି ।
ଏହା ସବୁଠୁ ଭଲ ଉଦାହରଣ ହେଉଛି ନାଇକି । ଏହାର ମୋଟ ଉତ୍ପାଦନର ୫୦ ପ୍ରତିଶତ ଭିଏତନାମରେ ହେଉଛି । ଭିଏତନାମ ଉପରେ ୪୭ ପ୍ରତିଶତ ଟାରିଫ୍ ଲଗାଯାଇଛି । ନାଇକି ସେୟାରରେ ୧୨ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଏହି ହ୍ରାସ ସହ କମ୍ପାନିର ସେୟାର ପ୍ରାୟ ୭ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହାର ସେୟାର ମୂଲ୍ୟ ଏବେ ୫୬.୬୭ ଡଲାରରେ କାରବାର କରୁଛି ।
ଦୁନିଆର ସବୁଠୁ ମୂଲ୍ୟବାନ କମ୍ପାନି ଆପଲ୍ ସେୟାରରେ ୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଆପଲ୍ ସେୟାର ୨୦୪ ଡଲାରରେ କାରବାର କରୁଛି । ଅନ୍ୟପଟେ ଆମଜାନର ସେୟାର ୮ ପ୍ରତିଶତରୁ ଅଧିକ ଖସି କାରବାର କରୁଛି । ଆଡିଡାସ୍ ସେୟାରରେ ୧୨ ପ୍ରତିଶତ, ଟେସଲା ସେୟାରରେ ୫ ପ୍ରତିଶତ, ଓରାକଲ୍ ସେୟାରରେ ୫ ପ୍ରତିଶତ ହ୍ରାସ ପାଇଛି । ଦୁନିଆର ସବୁଠୁ ବଡ଼ ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ସେୟାର ମୂଲ୍ୟ ୪.୫୦ ପ୍ରତିଶତ ହ୍ରାସ ପାଇଛି । ମେଟା ସେୟାର ୭ ପ୍ରତିଶତରୁ ଅଧିକ ହ୍ରାସ ପାଇ କାରବାର କରୁଛି ।
Also Read: ୩୨୨ ଅଙ୍କ ଖସିଲା ସେନସେକ୍ସ ! କିନ୍ତୁ ଛୋଟ ଓ ମଧ୍ୟମ ସେୟାର ବଳରେ ନିବେଶକଙ୍କ ଲାଭ ୩୩ ହଜାର କୋଟି