"ଜେଲ୍‌ ଯିବେ ନିଶ୍ଚୟ" VS "ନିଜେ ଜାମିନରେ ଅଛନ୍ତି"...ଆସାମରେ ରାହୁଲ୍ ଓ ସିଏମ୍ ହିମନ୍ତଙ୍କ ମଧ୍ୟରେ ଶବ୍ଦ ସଂଗ୍ରାମ

Published By : Prameya-News7 Bureau | July 16, 2025 IST

ନୂଆଦିଲ୍ଲୀ: ଆସାମ ରାଜନୀତି ଏବେ ବେଶ ସରଗରମ ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଯାଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଜୋରହାର ଟାର୍ଗେଟ୍ କରିଥିଲେ । ଏପରି କି ହେମନ୍ତ ବିଶ୍ୱ ଶର୍ମା ନିଶ୍ଚିତ ଜେଲ୍ ଯିବେ, ଲେଖିକି ରଖ ବୋଲି କହିଥିଲେ । ଏବେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହାକୁ ଜୋରଦାର କାଉଣ୍ଟର କରିଛନ୍ତି । 

ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଥିଲେ, ଯେଉଁଠି ସେ କଂଗ୍ରେସର ରାଜ୍ୟ ସ୍ତରୀୟ ରାଜନୈତିକ ମାମଲାର ସମିତି ସହ ବୈଠକ କରିଥିଲେ । ଏହି ବୈଠକରେ ସେ କଥିତ ରୂପେ କହିଥିଲେ ଯେ ଲେଖି ରଖନ୍ତୁ, ହିମନ୍ତ ବିଶ୍ୱ ଶର୍ମା ନିଶ୍ଚିତ ରୂପେ ଜେଲ୍ ଯିବେ । ଶର୍ମା ନିଜଙ୍କୁ ରାଜା ଭାବୁଛନ୍ତି, କିନ୍ତୁ ଆସାମର ଜନତା ତାଙ୍କୁ ଦୁର୍ନୀତି ପାଇଁ ଜେଲ୍ ପଠାଇବେ । ରାହୁଲ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରକୁ ଦୁର୍ନୀତିର ଜବାବ ଦେବାକୁ ପଡ଼ିବ ।

ରାହୁଲ ଗାନ୍ଧୀ କହିଥିଲେ ଯେ ଆସାମ ମୁଖ୍ୟମନ୍ତ୍ରୀ ଭାରତର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ, ଆଗାମୀ ଦିନରେ କଂଗ୍ରେସର ସିଂହମାନେ ତାଙ୍କୁ ଜେଲ୍ ପଠାଇବେ । ଏହାର ଭୟ ତାଙ୍କ ଆଖିରେ ସ୍ପଷ୍ଟ ଦେଖିବାକୁ ମିଳୁଛି, କାରଣ ତାଙ୍କୁ ଏବେ ମୋଦୀ କି ଶାହ ବଞ୍ଚାଇ ପାରିବେ ନାହିଁ ।

ଏହି ଟିପ୍ପଣୀ ପରେ ସିଏମ୍ ହିମନ୍ତ ବିଶ୍ୱ ଶର୍ମା ଏକ୍ସରେ ପୋଷ୍ଟ କରି ରାହୁଲଙ୍କୁ ତାଙ୍କ ଜାମିନ କଥା ମନେ ପକାଇ ଦେଇଛନ୍ତି । ଆସାମ ସିଏମ୍ ଲେଖିଛନ୍ତି, କେବଳ ମୋତେ ଜେଲ୍ ପଠାଇବା କଥା କହିବା ପାଇଁ ରାହୁଲ ଗାନ୍ଧୀ ଆସାମ ଆସିଥିଲେ । କଂଗ୍ରେସ ନେତା ଭୁଲି ଯାଇଛନ୍ତି ଯେ ସେ ନିଜେ ସାରା ଦେଶରେ ରୁଜୁ ଅନେକ ଅପରାଧିକ ମାମଲାରେ ଜାମିନରେ ବାହାରେ ଅଛନ୍ତି । ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଆସାମର ଆତିଥ୍ୟର ମଜା ନିଅନ୍ତୁ ବୋଲି ଶର୍ମା ଲେଖିଛନ୍ତି । 

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନ ଅନୁସାରେ, ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ସାମନା କରୁଛନ୍ତି । ଅନେକ ମାମଲାରେ ସେ ଜାମିନରେ ଅଛନ୍ତି । ଏଥିରେ ସବୁଠୁ ଚର୍ଚ୍ଚିତ ମାମଲା ‘ମୋଦୀ ସରନେମ୍’ ଟିପ୍ପଣୀ । ଏହି ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ମିଳିଥିଲା । ତେବେ ପରେ ତାଙ୍କ ଦଣ୍ଡ ଉପରେ ରୋକ୍ ଲଗାଯାଇ ଜାମିନ ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.