LIVE TV

“ମୁଁ ବନ୍ଦ କରାଇଛି ୭ ଯୁଦ୍ଧ”, ଜାତିସଂଘ ମଞ୍ଚରୁ ପୁଣି ଭାରତ-ପାକିସ୍ତାନ ଅସ୍ତ୍ରବିରତି କଥା କହିଲେ ଟ୍ରମ୍ପ

NEWS7
TRUMP

ଭୁବନେଶ୍ୱର: ଜାତିସଂଘ ମହାସଭାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଯୁଦ୍ଧ ଅଟକାଇଥିବା କଥାକୁ ଦୋହରାଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଗତ ୭ ମାସରେ ୭ ଯୁଦ୍ଧ ବନ୍ଦ କରାଇଛନ୍ତି । ଏହାସହ ଟ୍ରମ୍ପ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିର କ୍ରେଡିଟ୍ ମଧ୍ୟ ନେଇଛନ୍ତି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଅଟକାଇବା ଦାୟିତ୍ୱ ଜାତିସଂଘ ବଦଳରେ ତାଙ୍କୁ ନେବାକୁ ପଡ଼ୁଛି । ଜାତିସଂଘ ନିଜ କ୍ଷମତା ହିସାବରେ କାମ କରିପାରୁ ନାହିଁ ବୋଲି ସେ ଜୋର ଦେଇ କହିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଜାତିସଂଘ ମହାସଭାର ୮୦ତମ ଅଧିବେଶନରେ ଏକତ୍ରିତ ବିଶ୍ୱନେତାଙ୍କ ସାମନାରେ ନିଜ ଦାବିକୁ ପୁଣି ଥରେ ଦୋହରାଇଛନ୍ତି । ଜାତିସଂଘ ମଞ୍ଚରେ ଟ୍ରମ୍ପ କହିଛନ୍ତି, "ଏହିପରି ଗତ ସାତ ମାସରେ, କେବେ ଶେଷ ହେଉନଥିବା ସାତ ଯୁଦ୍ଧକୁ ସମାପ୍ତ କରିଛି । ଲୋକେ କହୁଥିଲେ ତାହା ଅନନ୍ତ । କିଛି ଯୁଦ୍ଧ ୩୧ ବର୍ଷ ଧରି ଚାଲିଥିଲା । ଏଥିରୁ ଦୁଇ ଯୁଦ୍ଧ ୩୧-୩୧ ବର୍ଷ ଧରି ଚାଲିଥିଲା । ଗୋଟିଏ ୩୬ ବର୍ଷ ଧରି, ଆଉ ଗୋଟିଏ ୨୮ ବର୍ଷ ଧରି ଚାଲିଥିଲା ।"

ଟ୍ରମ୍ପ ଆହୁରି କହିଛନ୍ତି, "ମୁଁ ସାତ ଯୁଦ୍ଧ ସପ୍ତାହ କରିଛି । ସବୁ ମାମଲା ଭୟଙ୍କର ଯୁଦ୍ଧ ଥିଲା । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ କାମ୍ୱୋଡିଆ ଓ ଥାଇଲାଣ୍ଡ, କୋସୋଭୋ ଓ ସର୍ବିଆ, କାଙ୍ଗୋ ଓ ରୱାଣ୍ଡା, ଏକ କ୍ରୁର ହିଂସକ ଯୁଦ୍ଧ, ପାକିସ୍ତାନ ଓ ଭାରତ, ଇସ୍ରାଏଲ୍ ଓ ଇରାନ, ଇଜିପ୍ଟ ଓ ଇଥିଓପିଆ ଏବଂ ଆର୍ମେନିଆ ଓ ଆଜରବାଇଜାନ ସାମିଲ ଅଛନ୍ତି ।" ଉଲ୍ଲେଖଯୋଗ୍ୟ ଯେ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମଧ୍ୟ ଅନେକ ଥର ଏହିପରି ଦାବି କରିସାରିଛନ୍ତି । କିନ୍ତୁ ଏଥର ବିଶ୍ୱ ନେତାଙ୍କ ସାମନାରେ ଏତେ ବଡ଼ ମଞ୍ଚରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି ।

ନିଜ ସମ୍ୱୋଧନରେ ଟ୍ରମ୍ପ ଜାତିସଂଘର କାର୍ଯ୍ୟ ପ୍ରଣାଳୀକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଦୁନିଆରେ ଶାନ୍ତି ସ୍ଥାପନା ପାଇଁ ଜାତିସଂଘ ଗଠନ କରାଯାଇଥିଲା, କିନ୍ତୁ ଏବେ ସେହି କାମ ମୋତେ କରିବାକୁ ପଡ଼ୁଛି । ୟୁଏନ୍ ନିଜ କାମ ଠିକ୍ ଭାବେ କାମ କରୁ ନାହିଁ । କେବଳ ଚିଠି ଲେଖିଲେ ଯୁଦ୍ଧ ବନ୍ଦ ହେବ ନାହିଁ । ଟ୍ରମ୍ପ କହିଛନ୍ତି, "ମୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା କାମ କରୁଛି । ଯେତେବେଳେ ଲୋକେ ଯୁଦ୍ଧରୁ ଫେରି ନିଜ ପରିବାର ଲୋକଙ୍କ ପାଖକୁ ଯାଆନ୍ତି, ସେତେବେଳେ ଖୁସି ହୁଅନ୍ତି । ଏହା କୌଣସି ନୋବେଲ ପୁରସ୍କାରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋତ ନୋବେଲ୍ ମିଳୁ ବୋଲି ଲୋକେ ଚାହୁଁଛନ୍ତି ।" ଏହି ସମୟରେ ସେ ରୁଷ ଓ ୟୁକ୍ରେନ ଯୁଦ୍ଧ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ରୁଷ ୟୁକ୍ରେନ ଲୋକଙ୍କୁ ହତ୍ୟା କରୁଛି । କିନ୍ତୁ ୟୁରୋପୀୟ ଦେଶ ରୁଷଠାରୁ ତେଲ କିଣିବାରେ ଲାଗିଛନ୍ତି ।