ନୂଆଦିଲ୍ଲୀ: ପୁଟିନଙ୍କ ସହିତ ଆଲାସ୍କାରେ ବୈଠକ ପରେ ଟ୍ରମ୍ପଙ୍କ ସ୍ୱର ପୁଣି ବଦଳିଲା। ଯଥା ପୂର୍ବଂ ତଥା ପରଂ ଭଳି ଟ୍ରମ୍ପ ପୁଣିଥରେ ୟୁକ୍ରେନ୍କୁ ଋଷ ଆଗରେ ଅସ୍ତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଋଷ ବଡ଼ ଶକ୍ତିଶାଳୀ ରାଷ୍ଟ୍ର, ହେଲେ ୟୁକ୍ରେନ ନୁହେଁ, ତେଣୁ ୟୁକ୍ରେନ୍ ଋଷ ସହ ବୁଝମଣା କରି ନେବା ଉଚିତ୍ ବୋଲି ଟ୍ରମ୍ପ କହିଛନ୍ତି। ତେବେ ପୁଟିନଙ୍କ ସହିତ ହୋଇଥିବା ଆଲୋଚନାକୁ ବେଲେ ସେ ଓ ପୁଟିନ ଅସ୍ତ୍ରବିରତି ନୁହେଁ ସିଧା ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ବାହାର କରିବାକୁ ଏକମତ ହୋଇଛନ୍ତି ଟ୍ରମ୍ପ କହିଛନ୍ତି।
୨୦୨୨ରେ ମସ୍କୋର ୟୁକ୍ରେନ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଆମେରିକା-ରୁଷ ଶିଖର ସମ୍ମିଳନୀରେ ଶୁକ୍ରବାର ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ବୈଠଖ ହୋଇଥିଲା। ୩ ଘଣ୍ଟାକାଳ ବୈଠକ ହେବା ପରେ ଫଳାଫଳ ବାହାରି ପାରି ନଥିଲା। ଏହି ଶିଖର ସମ୍ମିଳନୀ ପରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି। ୟୁକ୍ରେନ ଗଠନମୂଳକ ସହଯୋଗ ପାଇଁ ପ୍ରସ୍ତୁତ ଏବଂ ଏକ ତ୍ରିପାକ୍ଷିକ ବୈଠକର ଧାରଣାକୁ ସମର୍ଥନ କରୁଛି ବୋଲି ଜେଲେନସ୍କି କହିଛନ୍ତି।
ତେବେ ଦେଶ ହିତରେ ଏକ ରେଡ୍ ଲାଇନ୍ ଟାଣିଛନ୍ତି ଜେଲେନସ୍କି। ଏନେଇ ସେ ଏକ୍ସରେ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏକ ସ୍ଥାୟୀ ଶାନ୍ତିର ଆବଶ୍ୟକତା ରହିଛି। ଯଥାଶୀଘ୍ର ହତ୍ୟା ବନ୍ଦ ହେବା ଦରକାର, ଅପହରଣ କରିନିଆଯାଇଥିବା ପିଲାମାନଙ୍କୁ ଫେରାଯିବା ଉଚିତ। ଏବଂ ଉଭୟ ୟୁରୋପ ଓ ୟୁଏସ୍ ଉପସ୍ଥିତିରେ ଋଷ ସୁରକ୍ଷା ଗ୍ୟାରେଣ୍ଟି ଦେବା ଦରକାର ବୋଲି ଜେଲେନସ୍କି କହିଛନ୍ତି। ସେ ଆହୁରି କହିଛନ୍ତି ଯେ କୌଣସି ପ୍ରସଙ୍ଗ, ବିଶେଷକରି ସୀମା ସମ୍ପର୍କିତ କୌଣସି ନିଷ୍ପତ୍ତି ୟୁକ୍ରେନ୍ର ବିନା ଉପସ୍ଥିତିରେ ହୋଇପାରିବ ନାହିଁ ବୋଲି। ତା ଛଡ଼ା ଯଦି ଋଷ ଚୁକ୍ତି ନ ମାନିଲା ତେବେ ତା ବିରୁଦ୍ଧରେ କଟକଣା କଡ଼ା ହେବା ଉଚିତ ବୋଲି ୟୁକ୍ରେନ କହିଛନ୍ତି।