ନୂଆଦିଲ୍ଲୀ ୧୯/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋସିଆଲ ମିଡିଆରେ ଗୋଟିଏ ଶବ୍ଦ ପୋଷ୍ଟ୍ କରିଛନ୍ତି, ଯାହା ବିଶ୍ୱବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଲୋକେ ଏହାର ବିଭିନ୍ନ ଅର୍ଥ ବାହାର କରୁଛନ୍ତି । ରବିବାର ସକାଳେ ନିଜର ଔପଚାରିକ ସୋସିଆଲ ମିଡିଆ ଆକାଉଣ୍ଟ୍ ଟ୍ରୁଥ୍ରେ ଟ୍ରମ୍ପ୍ ଲେଖିଥିଲେ ‘ବେଲା’ ।
ଯଦି ଶବ୍ଦରେ ଦୁଇଟି ଏଲ୍ ଥାନ୍ତା, ତେବେ ଇଟାଲୀରେ ଏହାର ଅର୍ଥ ‘ସୁନ୍ଦର’ । କିନ୍ତୁ ଏହି ଶବ୍ଦ ମାଧ୍ୟମରେ ଟ୍ରମ୍ପ୍ କ’ଣ କହିବାକୁ ଚାହୁଁଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ସହ ସାକ୍ଷାତ ସମ୍ପର୍କରେ ସୂଚନା ଦେବା ପରେ ଟ୍ରମ୍ପ୍ ଏହି ଗୋଟିଏ ଶବ୍ଦବିଶିଷ୍ଟ ପୋଷ୍ଟ୍ ଶେୟାର କରିଛନ୍ତି । କିଛି ୟୁଜର୍ କହୁଛନ୍ତି, ଏହି ଶବ୍ଦ ଦକ୍ଷିଣ ଆଫ୍ରିକାର ‘ବେସିକ୍ ଏଜୁକେସନ୍ ଲଜ୍ ଆମେଣ୍ଡମେଣ୍ଟ୍ (ବେଲା) ଆଇନକୁ ଦର୍ଶାଉଛି, ଯାହା ଏକ ବିବାଦୀୟ ଶିକ୍ଷା ଆଇନ ।
ଅନ୍ୟପକ୍ଷେ, ଆଉ କିଛି କହୁଛନ୍ତି ଯେ ‘ବେଲା’ ଦିବ୍ୟ ବାର୍ତ୍ତା ମଧ୍ୟରେ ଆଶା ଓ ନୂତନତ୍ୱର ଏକ ପ୍ରତୀକ । କିଛି ୟୁଜର୍ ଏହାକୁ ଟାଇପିଂ ଜନିତ ତ୍ରୁଟି ବୋଲି କହୁଛନ୍ତି । ଟ୍ରମ୍ପ୍ ବୋଧହୁଏ ବେଲାରୁଷ୍ ଲେଖୁଥିଲେ । ତେଣୁ ୟୁଜର୍ ‘ବେଲା’କୁ ବେଲାରୁଷ୍ ସହିତ ଯୋଡୁଛନ୍ତି, ଯାହା ବୋଧହୁଏ ବେଲାରୁଷ୍ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେନ୍କୋଙ୍କ ସହ ଟ୍ରମ୍ପ୍ଙ୍କ ପୂର୍ବ ବାର୍ତ୍ତାଳାପକୁ ଦର୍ଶାଉଛି ।
କିଛି ୟୁଜର୍ ଏହାକୁ ଏକ କୋଡ୍ ୱାର୍ଡ ବୋଲି କହିଛନ୍ତି, ଯାହା ବୋଧହୁଏ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କ ସାକ୍ଷାତ ସହ ସଂଶ୍ଳିଷ୍ଟ । ତେବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟ୍ରମ୍ପ୍ଙ୍କ ଏହି ପୋଷ୍ଟ୍ର ଅର୍ଥ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।