ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକାର ଦୋମୁହାଁ ନୀତିକୁ ଦୁନିଆ ସାମନାକୁ ଆଣିଛନ୍ତି । ଆଲାସ୍କାରେ ବୈଠକ ପରେ ପୁଟିନ୍ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ ଯେ ଟ୍ରମ୍ପ ପ୍ରଶାସନ କ୍ଷମତାକୁ ଆସିବା ପରଠୁ ଆମେରିକା ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଛି । ପୁଟିନ୍ଙ୍କ ବୟାନ ଏପରି ସମୟରେ ଆସିଛି, ଯେତେବେଳେ ରୁଷ ସହ ତେଲ କାରବାରକୁ ନେଇ ଭାରତ ଉପରେ ଆମେରିକା ଅଧିକ ଟାରିଫ୍ ଲଗାଇଛି ।
ପୁଟିନ କହିଥିଲେ, 'ଯେବେଠାରୁ ନୂଆ ପ୍ରଶାସନ କ୍ଷମତାକୁ ଆସିଛି, ସେବେଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ ଲଗାତାର ବଢିବାରେ ଲାଗିଛି । ଏହା ଏବେବି କେବଳ ପ୍ରତୀକାତ୍ମକ ଅଟେ । ତଥାପି, ଆମର ବୃଦ୍ଧି ହାର ୨୦ ପ୍ରତିଶତ ଅଟେ ।' ସେ ସଂକେତ ଦେଇଥିଲେ ଯେ ରୁଷ ଓ ଆମେରିକା ଏବେବି ପରସ୍ପରକୁ ବାଣିଜ୍ୟ ଓ କାରବାରରେ ସୁଯୋଗ ପ୍ରଦାନ କରିପାରିବେ । ପୁଟିନ କହିଥିଲେ, 'ଆମ ପାଖରେ ଏକ ହୋଇ କାମ କରିବାର ଅନେକ ଦିଗ ରହିଛି । ରୁଷ ଓ ଆମେରିକା ବାଣିଜ୍ୟ, ଡିଜିଟାଲ୍, ଉଚ୍ଚ ବୈଷୟିକ ଓ ମହାକାଶ ଗବେଷଣା କ୍ଷେତ୍ରରେ ପରସ୍ପରକୁ ଅନେକ କିଛି ଯୋଗଦାନ କରିପାରିବେ ।'
President Putin last night says since Trump Admin came to "power, bilateral trade gas grown by 20%".
— Sidhant Sibal (@sidhant) August 16, 2025
PS: Trump admin increased trade with Russia, but imposed sanctions/ secondary tariffs on India for importing Russian energy pic.twitter.com/TeF8YD6n9p
ରୁଷ ରାଷ୍ଟ୍ରପତିଙ୍କ ଏହି ବୟାନ ଟ୍ରମ୍ପ ପ୍ରଶାସନର ନୀତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୋସିଆଲ୍ ମିଡିଆ ୟୁଜର୍ସ ଦାବି କରୁଛନ୍ତି ଯେ ଟ୍ରମ୍ପ ପ୍ରଶାସନ ରୁଷ ସହ ବାଣିଜ୍ୟକୁ ବଢାଇଛି, କିନ୍ତୁ ଭାରତ ଉପରେ ରୁଷ ତେଲ ଆମଦାନୀ ଲାଗି କଟକଣା ଓ ସେକେଣ୍ଡ୍ରି ଟାରିଫ୍ ଲଗାଇଛି । ଯାହା ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ।
ଆମେରିକାର ସେନସସ୍ ବ୍ୟୁରୋର ଡାଟା ଅନୁସାରେ, ଆମେରିକା ଚଳିତ ବର୍ଷର ପ୍ରଥମ ଛଅ ମାସରେ ରୁଷଠାରୁ ୯୨୭ ମିଲିୟନ ଡଲାରର ସାର ଆମଦାନୀ କରିଛି । ଗତ ବର୍ଷ ରୁଷଠାରୁ ସାର ଆମଦାନୀ ୧ ବିଲିୟନ ଡଲାରରୁ ଅଧିକ ଥିଲା । ଆମେରିକା ମୁଖ୍ୟତଃ ତିନି ପ୍ରକାର ରାସାୟନିକ ସାର ଆମଦାନୀ ପାଇଁ ରୁଷ ଉପରେ ନିର୍ଭର । ଏଥିରେ ୟୁରିଆ, ୟୁରିଆ ଆମୋନିୟମ ନାଇଟ୍ରେଟ୍ (ୟୁଏଏନ) ଓ ପୋଟାସିୟମ କ୍ଲୋରାଇଡ୍ ମ୍ୟୁରିଏଟ୍ ଅଫ୍ ପୋଟାସ୍ ପରି ସାର ସାମିଲ ରହିଛି । ଏହା ବ୍ୟତୀତ ଆମେରିକା ରୁଷଠାରୁ ପାଲାଡିୟମ୍ ବି ଆମଦାନୀ କରିଥାଏ ।