LIVE TV

ସମ୍ବଲପୁର ଚିଡିଆଖାନାରେ ଟାଇଗର ଏନକ୍ଲୋଜରର ଭିତ୍ତିପ୍ରସ୍ତର, ମଗର ଓ ଘଡ଼ିଆଳଙ୍କ ପାଇଁ ବି ସ୍ବତନ୍ତ୍ର ଖୁଆଡ଼

NEWS7
truck-seized-by-a-finance-company-in-iligal-way-and-gave-sixty-thousant-rupees-fine-at-court

ସମ୍ବଲପୁର ୨୪।୧୧: ସମ୍ବଲପୁରକୁ ଆସିବେ ୪ ମହାବଳ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ଦେଶର ଅନ୍ୟତମ ଚିଡିଆଖାନାରୁ ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ସୋମବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ରହିଛନ୍ତି l

ସେହିପରି ମଗର ଓ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାରେ ରହିବେ l ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ହେବ l ଏହାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏକ କଲରାପତରିଆ ବାଘ ମଧ୍ୟ ଚିଡିଆଖାନାର ଶୋଭା ବଢ଼ାଉଛି l

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଶ୍ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼, ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ । ଏହି ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ । ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ । ବାଘ, ମଗର ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ ।

ପ୍ରାଣୀ ଉଦ୍ୟାନ ହେଉଛି ପରିବେଶ ଶିକ୍ଷାର ଏକ ଖୋଲା ବିଦ୍ୟାଳୟ । ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏହି ଏନକ୍ଲୋଜର ଗୁଡ଼ିକ ମାଧ୍ୟମରେ ପ୍ରାଣୀ ଜଗତ ବିଷୟରେ ନିକଟରୁ ଜାଣିପାରିବେ । ନୂତନ ଭାବେ ନିର୍ମିତ ଏନକ୍ଲୋଜର ଗୁଡ଼ିକ ଜୀବଜନ୍ତୁଙ୍କୁ ବଞ୍ଚାଇବାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବ । ଏହାଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୀତି ମଜଭୁତ ହେବ । ଅନେକ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

​​​​​​​

ସମ୍ବଲପୁର ଚିଡ଼ିଆଖାନାର ନୈସର୍ଗିକ ସୁନ୍ଦରତା ଅତ୍ୟନ୍ତ ଆକର୍ଷଣୀୟ । ଏହାକୁ ଛୋଟରୁ 'ମିଡ୍ ସାଇଜ୍ ଜୁ' କରିବା ପାଇଁ ଡବଲ ଇଞ୍ଜିନ ସରକାର ବିଗତ ଦିନମାନଙ୍କରେ ନିଷ୍ପତି ନେଇଛନ୍ତି । ମୋଟ୍ ୫ କୋଟି ଟଙ୍କା ବ୍ୟୟ ବରାଦରେ ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି, ଯାହା ପ୍ରଶଂସନୀୟ । ‘ସମ୍ବଲପୁର ଜୁ’ କୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର ଭାବେ ପରିଣତ କରିବା ଆମର ଲକ୍ଷ୍ୟ ।

​​​​​​​