ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆବୁ ଜୁନ୍ଦଲ ବିରୋଧରେ ସାତ ବର୍ଷ ପରେ ପୁଣି ଥରେ ମାମଲା ଆରମ୍ଭ ହେବ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ମଞ୍ଜୁରି ଦେଇଛନ୍ତି ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ଅବୁ ଜୁନ୍ଦଲଙ୍କ ସପକ୍ଷରେ ୨୦୧୮ ମସିହାରେ ଦିଆଯାଇଥିବା ଟ୍ରାଏଲ୍ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ପୋଲିସ, ବୈଦେଶିକ ମନ୍ତ୍ରଣାଳୟର ଆବେଦନକୁ ସୋମବାର ବମ୍ବେ ହାଇକୋର୍ଟ ମଞ୍ଜୁର କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ କଥିତ ଏଲ୍‌ଇଟି ସଦସ୍ୟ ଜାବିଉଦ୍ଦିନ୍ ଅନସାରି ଓରଫ ଆବୁ ଜୁନ୍ଦଲର ମାମଲାର ପୁଣି ଥରେ ବିଚାର ପାଇଁ ପଥ ପରିଷ୍କାର ହୋଇଛି ।

ତଦନ୍ତକାରୀ ସଂସ୍ଥା ଏବଂ ବୈଦେଶିକ ମନ୍ତ୍ରଣାଳୟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ପ୍ରତିନିଧିତ୍ୱରେ ସେସନ୍ସ ଜଜଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାରେ ଜୁନ୍ଦଲଙ୍କ ପକ୍ଷରୁ ଓକିଲ ଅବଦୁଲ ୱାହାବ ଖାନ ପକ୍ଷ ରଖିଥିଲେ । ମାମଲାର ଶୁଣାଣି ପରେ ବମ୍ୱେ ହାଇକୋର୍ଟ ଜୁନ୍ଦାଲ ସପକ୍ଷରେ ଦିଆଯାଇଥିବା ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି, ଟ୍ରାଏଲ୍ ଆଗକୁ ବଢାଇବା ପାଇଁ କହିଛନ୍ତି । 

ଆବୁ ଜୁନ୍ଦଲ ଓରଫ ବିରୁଦ୍ଧରେ ୨୬/୧୧ ଆକ୍ରମଣର ଷଡଯନ୍ତ୍ର ଏବଂ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗ ରହିଛି । ୨୦୧୮ରେ, ଟ୍ରାଏଲ୍ କୋର୍ଟ ଜୁନ୍ଦଲକୁ କିଛି ଗୋପନୀୟ ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ ଦେବା ପରେ, ଶୁଣାଣି ବନ୍ଦ ହୋଇଯାଇଥିଲା । ଗତ ସାତ ବର୍ଷ ଧରି ମାମଲା ଅଟକି ରହିଥିଲା । ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମାମଲାର ସ୍ୱତନ୍ତ୍ର କୋର୍ଟରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ ।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଅନୁଯାୟୀ, ଲସ୍କର-ଏ-ତୈଏବାର ସକ୍ରିୟ ଅବୁ ଜୁନ୍ଦଲକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଗିରଫ କରାଯାଇଥିଲା । କିନ୍ତୁ ଜୁନ୍ଦଲ ତାକୁ ସାଉଦି ଆରବରେ ଗିରଫ କରାଯାଇଥିଲା ଏବଂ ପରେ ଭାରତକୁ ହସ୍ତାନ୍ତର କରାଯାଇଥିଲା ବୋଲି ଦାବି କରିଥିଲା । ଏହାକୁ ପ୍ରମାଣିତ କରିବା ପାଇଁ, ସେ କୋର୍ଟରୁ କିଛି କାଗଜପତ୍ର ମାଗିଥିଲା । ହାଇକୋର୍ଟ ବର୍ତ୍ତମାନ ଅନୁରୋଧକୁ ଖାରଜ କରି କହିଛନ୍ତି ଯେ ଏପରି ପ୍ରମାଣ ଗୋପନୀୟ ଏବଂ ଏହାକୁ ବାଣ୍ଟିହେବ ନାହିଁ।

୨୬/୧୧ ଆକ୍ରମଣରେ ଜୁନ୍ଦଲର ଭୂମିକା

ନଭେମ୍ବର ୨୬, ୨୦୦୮ରେ, ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ଆରବ ସାଗର ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ ଏବଂ ସହରର ବିଭିନ୍ନ ଅଞ୍ଚଳରେ ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ଅନେକ ବିଦେଶୀଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଆକ୍ରମଣ ସମୟରେ ଆବୁ ଜୁନ୍ଦଲ ଆତଙ୍କବାଦୀମାନଙ୍କୁ ପାକିସ୍ତାନୀକୁ ନିର୍ଦ୍ଦେଶ ଦେଉଥିଲା । ଆକ୍ରମଣର ଏକମାତ୍ର ବଞ୍ଚିଥିବା ଆତଙ୍କବାଦୀ ଅଜମଲ କସାବକୁ ୨୦୧୦ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨୦୧୨ରେ ଫାଶୀ ଦିଆଯାଇଥିଲା । ​​​​​​​