ରୁଦ୍ରପ୍ରୟାଗ ୩।୫: କେଦାରନାଥ ଯାତ୍ରା ନିମନ୍ତେ ଯେଉଁମାନେ ହେଲିକପ୍ଟର ସେବା ନେବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଖୁସି ଖବର। ସେମାନେ ହେଲି ସେବାରେ ଜୁନ ମାସ ପାଇଁ ବୁକିଂ କରିପାରିବେ। ଏଥି ପାଇଁ ଶ୍ରଦ୍ଧାଳୁ ମେ ୭ ତାରିଖରୁ ଆଇଆରସିଟିସି ଅଧିକାରୀକ ୱେବସାଇଟରେ ବୁକିଂ କରିପାରିବେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି ଯେ ଏଥି ପାଇଁ ଅନ୍ୟ ୱେବସାଇଟ, ସୋସିଆଲ ମିଡିଆ ପେଜ୍,ହ୍ୱାଟସଆପ ଟାଟିଂ ଲିଂକରେ କରାଯାଉଥିବା ବୁକିଂ ଅମାନ୍ୟ ହେବ।
ସେହିପରି ପୋଲିସ ବିଭାଗ ମଧ୍ୟ ଶ୍ରଦ୍ଧାଳୁଙ୍କୁ ସତର୍କ କରି କେବଳ ଅଧିକାରୀକ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରିବାକୁ ପରାମର୍ଶ ଦେଇଛି। ଅନ୍ୟ କୌଣସି ମାଧ୍ୟମରେ ବୁକିଂ କେବଳ ଅମାନ୍ୟ ହେବନି ବରଂ ଏପରି ପ୍ରୟାସରେ ସାଇବର ଠକେର ଶିକାର ହେବା ସମ୍ଭାବନା ଅଧିକ ରହୁଛି ବୋଲି କୁହାଯାଇଛି। ଏଥିରେ କେହି ଯଦି ହେଲି ଟିକେଟ୍ କରି ନ ପାରୁଛନ୍ତି ତେବେ ନିରାଶ ହେବାର କୌଣସି କାରଣ ନାହିଁ । କାରଣ କେଦାରନାଥ ଯାତ୍ରା ନିମନ୍ତେ ଅନ୍ୟ ପାରମ୍ପରିକ ଓ ସୁଗମ ବିକଳ୍ପ ରହିଛି।
ଶ୍ରଦ୍ଧାଳୁ ପାଦଚଲା ରାସ୍ତା, ଘୋଡ଼ା, ଖଚ୍ଚର, ପାଲିଙ୍କି ଅଥବା ଅନ୍ୟ ମାଧ୍ୟମରେ ମଧ୍ୟ କେଦାରନାଥ ପହଞ୍ଚି ପାରିବେ। ଏହି ସବୁ ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ ଦେଖରେଖରେ ବ୍ୟବସ୍ଥିତ ରୂପେ ସଞ୍ଚାଳିତ କରାଯାଉଛି। ତେବେ ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା ଶ୍ରଦ୍ଧାଳୁ ସେମାନଙ୍କ ଯାତ୍ରା ଯୋଜନା ପୂର୍ବରୁ ସ୍ଥିର କରନ୍ତୁ। ଏଥି ପାଇଁ ଅଧିକୃତ ପୋର୍ଟାଲରୁ ହିଁ ବୁକିଂ କରନ୍ତୁ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ଗାଇଡ ଲାଇନର ପାଳନ କରନ୍ତୁ।