ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆସିଲା ଅପଡେଟ୍, ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ୯% ବୃଦ୍ଧି

NEWS7
transgender-person-kidnapped-a-4-year-old-girl-in-karanjia

ନୂଆଦିଲ୍ଲୀ ୨।୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏଥିରେ ତେହେରାନର ଜବାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପାଖାପାଖି ୯% ବଢି ଯାଇଛି। ହେଲେ ଭାରତରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ନିକଟ ଭବିଷ୍ୟତରେ ବଢିବାର ସମ୍ଭାବନା ନାହିଁ। ସୂତ୍ରରୁ ମିଳୁଥିବା ସୂଚନାରୁ ଏହା ଜଣାପଡିଛି। ବୈଶ୍ୱିକ ମାନକ ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରଲ ପାଖାପାଖି ୮୦ ଡଲାରକୁ ପହଞ୍ଚି ଯାଇଛି। ଏହି ସମୟରେ ଆମେରିକାରେ କାରବାର ହେଉଥିବା ଅଶୋଧିତ ତୈଳ ୮.୬% ବଢି ପ୍ରତି ବ୍ୟାରଲ ୭୨.୭୯ ଡଲାରକୁ ପହଞ୍ଚିଛି।

ଭାରତ ତୈଳ ଆବଶ୍ୟକତାର ୮୦% ବିଦେଶରୁ ଆମଦାନୀ କରିଥାଏ। ଉଚ୍ଚ ବୈଶ୍ୱିକ ମୂଲ୍ୟ, ମହଙ୍ଗା ଆମଦାନୀ ବ୍ୟୟ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିପାରେ। ତେବେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଖୁଚୁର ଇନ୍ଧନ ମୂଲ୍ୟ ଅଚାନକ ବଢିବାର ସମ୍ଭାବନା ନାହିଁ। କାରଣ ସରକାର ତୈଳ କମ୍ପାନୀମାନଙ୍କୁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ହେଲେ ମାର୍ଜିନ କରିବାକୁ ଅନୁମତି ଦେଉଛନ୍ତି। ଏଥିରେ ଯଦି ଦରବୃଦ୍ଧି ହେଲେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ସୁଚିନ୍ତିତ ନୀତିର ପାଳନ କରୁଛନ୍ତି।

ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ଏପ୍ରିଲ ୨୦୨୨ରୁ ସ୍ଥିର ରହିଛି। ଦେଶର ତୈଳ କମ୍ପାନୀମାନେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେଲେ କ୍ଷତି ଭରଣା କରୁଛନ୍ତି। ଏଥିରେ ଦର ହ୍ରାସ ହେଲେ ଲାଭ ଅର୍ଜନ କରୁଛନ୍ତି। ଏଥିରେ ଆଗକୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆସାମ ବିଧାନସଭା ନିର୍ବାଚନ। ଏଣୁ ସରକାର ଏପରି କିଛି ଚାହାନ୍ତିନି ଯାହା ବିରୋଧୀଙ୍କୁ ଲାଭ ଦେବ। ପଶ୍ଚିମ ଏସିଆରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ମନ୍ତ୍ରାଳୟ ସମେତ ସାର୍ବଜନିକ କ୍ଷେତ୍ରର କମ୍ପାନୀଙ୍କ ବରିଷ୍ଠ ଅଧିକାରୀଙ୍କ ସହ ପେଟ୍ରୋଲିୟମ ଉତ୍ପାଦର ସ୍ଥିତି ସମୀକ୍ଷା କରିଛନ୍ତି।

ଏହାପରେ ମନ୍ତ୍ରାଳୟ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ‘ଆମେ ଉପୁଜିଥିବା ପରିସ୍ଥିତି ଉପରେ ଲଗାତାର ନଜର ରଖିଥିବା ଓ ଦେଶରେ ପ୍ରମୁଖ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆମ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ’ ବୋଲି ଉଲ୍ଲେଖ କରାଯାଇଛି। ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଷ୍ଟ୍ରେଟ ଅଫ ହରମୁଜ ଦେଇ ତୈଳବାହୀ ପୋତ ପରିବହନ ନ କରିବାକୁ ଚେତାବନୀ ଦେଇଛି। ଏଥିରେ ବୀମା କମ୍ପାନୀମାନେ ସେମାନଙ୍କ ବୀମା କବଚ ପ୍ରତ୍ୟାହାର କରିନେଇଛନ୍ତି। ଏଣୁ ତୈଳ ପରିବହନ ପ୍ରଭାବୀ ରୂପେ ଅଟକି ଯାଇଛି।

ଭାରତ ବିଶ୍ୱର ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ଦେଶ। ନିଜର ତୈଳ ଆବଶ୍ୟକତାର ଅଧାରୁ ଅଧିକ ଷ୍ଟ୍ରେଟ ଅଫ ହରମୁଜ ଦେଇ ଆଣିଥାଏ। ଏଣୁ ଏବେ ପରିବହନ ଅଟକି ଯାଇଥିବାରୁ ଦେଶକୁ ତୈଳ ଆମଦାନୀ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଏଥିରେ ତୈଳ ମୂଲ୍ୟ ଆହୁରି ବଢିପରେ ବୋଲି ଆଶଙ୍କା କରାଯାଉଥିବା ବେଳେ ମନ୍ତ୍ରାଳୟ ଏଭଳି ଆଶଙ୍କାକୁ ନିରାଧାର ବୋଲି କହିଛି।