LIVE TV

ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ବ୍ୟାଙ୍କର ଶୀର୍ଷ ପଦବୀରେ ବେସରକାରୀ କ୍ଷେତ୍ରର ଲୋକଙ୍କୁ ମିଳିବ ନିଯୁକ୍ତି

NEWS7
sbi

ନୂଆଦିଲ୍ଲୀ: ସରକାର ଶୁକ୍ରବାର ବ୍ୟାଙ୍କିଂ କ୍ଷେତ୍ର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ପିଏସବି ବ୍ୟାଙ୍କର ଶୀର୍ଷ ପରିଚାଳନା ପଦବୀରେ ବେସରକାରୀ କ୍ଷେତ୍ରରୁ ନିଯୁକ୍ତି ମିଳିପାରିବ । ନୂଆ ମାର୍ଗଦର୍ଶିକା ଅନୁସାରେ ଏସ୍‌ବିଆଇ ପ୍ରବନ୍ଧ ନିର୍ଦ୍ଦେଶକର ଚାରି ପଦ ମଧ୍ୟରୁ ଗୋଟିଏରେ ବେସରକାରୀ କ୍ଷେତ୍ରରୁ ପ୍ରାର୍ଥୀ ଓ ସାର୍ବଜନୀନ କ୍ଷେତ୍ରର ବିତ୍ତୀୟ ସଂସ୍ଥାନରେ କାମ କରିଥିବା ବ୍ୟକ୍ତିଙ୍କୁ ସୁଯୋଗ ଦିଆଯିବ । ବର୍ତ୍ତମାନ ସମୟରେ, ସମସ୍ତ ଏମଡି ଓ ଅଧ୍ୟକ୍ଷ ପଦରେ ଆଭ୍ୟନ୍ତରୀଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥାଏ । ନିଯୁକ୍ତିରେ ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ଏଣିକି ଏମଡିର ଏକ ପଦରେ ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ ।

ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକାରେ, ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କୁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି)ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି)ର ଚୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ଏସବିଆଇ ବ୍ୟତୀତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ୧୧ ସାର୍ବଜନୀନ ବ୍ୟାଙ୍କ ଅଛି । ସମିତି ଅନୁସାରେ ଘରୋଇ କ୍ଷେତ୍ରର ପ୍ରାର୍ଥୀଙ୍କୁ ଏମଡି ପଦରେ ନିଯୁକ୍ତି ପାଇଁ ଅତି କମରେ ୨୧ ବର୍ଷର ଅନୁଭବ ରହିବା ଦରକାର । ଏଥିରେ ଅତି କମରେ ୧୫ ବର୍ଷରୁ ବ୍ୟାଙ୍କିଂ ଅନୁଭବ ଓ ବ୍ୟାଙ୍କ ବୋର୍ଡର ବୋର୍ଡ ସ୍ତରରେ କାମ କରିବାର ୨ ବର୍ଷର ଅନୁଭବ ସାମିଲ ରହିଛି ।

ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ଦିନଠାରୁ ଏସବିଆଇର ପ୍ରଥମ ଏମଡି ପଦବୀ ଖାଲି ବୋଲି ବିବେଚନା କରାଯିବ । ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମ ପଦବୀ ଖାଲି ହେବା ପରେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କରେ ପଦବୀରେ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯିବ । ପିଏସବିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ଉପରେ କୁହାଯାଇଛି ଯେ ବ୍ୟାଙ୍କରେ ଗୋଟିଏ ପଦବୀ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୋଲା ରହିବ। ଏଥିରେ ବେସରକାରୀ କ୍ଷେତ୍ରର ପ୍ରାର୍ଥୀ ମଧ୍ୟ ସାମିଲ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ ବଡ଼ ସରକାରୀ ବ୍ୟାଙ୍କରେ ଚାରି ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥାଆନ୍ତି, ଛୋଟ ବ୍ୟାଙ୍କରେ ଦୁଇଟି ପଦବୀ ଥାଏ ।