ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ତାରିକ ରହମାନ କିଏ ?

NEWS7
todays-prediction-394

ଢ଼ାକା: ତାରିକ ରହମାନ । ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ଦୁଇ-ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଦୀର୍ଘ ୧୭ ବର୍ଷ ଧରି ନିର୍ବାସିତ ଥିବା ତାରିକ ରହମାନ ଏବେ ବାଂଲାଦେଶର ନେତୃତ୍ବ ନେବେ। ବାଂଲାଦେଶ ରାଜନୀତିରେ ତାରିକ ରହମାନଙ୍କୁ ତାରିକ ଜିଆ ନାମରେ ଜଣାଯାଏ। ତାଙ୍କର ଜୀବନ ଏବଂ ରାଜନୈତିକ ପରିଚୟ ମୁଖ୍ୟତଃ ତାଙ୍କ ପରିବାରର ନାମ ସହିତ ଜଡିତ। ତାଙ୍କର ପ୍ରାଥମିକ ପରିଚୟ ହେଉଛି, ସେ ଜିଆଉର ରହମାନ ଏବଂ ଖାଲିଦା ଜିଆଙ୍କ ପୁଅ। ତାଙ୍କର ଜନ୍ମ ୧୯୬୭ ମସିହାରେ ହୋଇଥିଲା । ସେତେବେଳେ ବାଂଲାଦେଶ ପୂର୍ବ ପାକିସ୍ତାନ ଭାବରେ ଜଣାଶୁଣା ଥିଲା । ଅର୍ଥାତ୍ ଏହା ବର୍ତ୍ତମାନର ପାକିସ୍ତାନର ଏକ ଅଂଶ ଥିଲା। ୧୯୭୧ ମୁକ୍ତି ଯୁଦ୍ଧ ସମୟରେ, ତାରିକ ମାତ୍ର ଚାରି ବର୍ଷ ବୟସର ଥିଲେ । ତାଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା। ଏହି କାରଣରୁ, ତାଙ୍କ ଦଳ ବିଏନପି ତାଙ୍କୁ ‘ସର୍ବକନିଷ୍ଠ ଯୁଦ୍ଧବନ୍ଦୀଙ୍କ ମଧ୍ୟରୁ ଜଣେ’ ଭାବରେ ସମ୍ମାନିତ କରେ।

ତାଙ୍କ ପିତା ଜିଆଉର ରହମାନ ଜଣେ ସେନା କମାଣ୍ଡର ଥିଲେ। ୧୯୭୫ ମସିହାରେ ହୋଇଥିବା ବିପ୍ଳବ ପରେ ସେ ଧୀରେ ଧୀରେ କ୍ଷମତା ଉପରେ ନିଜର କବଜାକୁ ସୁଦୃଢ଼ କରିଥିଲେ। ସେହି ବର୍ଷ, ବାଂଲାଦେଶର ପ୍ରତିଷ୍ଠାତା ନେତା ଏବଂ ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ଜିଆଉର ଏବଂ ହସିନାଙ୍କ ପରିବାର ମଧ୍ୟରେ ଏକ ଗମ୍ଭୀର ରାଜନୈତିକ ସଂଘର୍ଷକୁ ଜନ୍ମ ଦେଇଥିଲା । କିଛି ବର୍ଷ ପରେ, ଜିଆଉର ରହମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସେତେବେଳେ ତାରିକ ରହମାନଙ୍କ ବୟସ ମାତ୍ର ୧୫ ବର୍ଷ ହୋଇଥିଲା । ତାପରେ ତାଙ୍କ ମାଆ ଖାଲିଦା ଜିଆ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏଁ ସେ ତାଙ୍କର ଛତ୍ର ଛାୟା ତଳେ ରହୁଥିଲେ । ପରେ, ହସିନା ଏବଂ ଖାଲିଦା ଜିଆ ଲଗାତାର କ୍ଷମତାରେ ଥିଲେ ଏବଂ ସେମାନେ ପରସ୍ପରକୁ ରାଜନୈତିକ ଭାବରେ ଚ୍ୟାଲେଞ୍ଜ କରିଥିଲେ। ବିଏନପି ଅନୁଯାୟୀ, ତାରିକ ରହମାନ ୨୩ ବର୍ଷ ବୟସରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଢାକା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।

୨୦୦୭ ମସିହାରେ, ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା। ସେ ଜେଲରେ ଶାରୀରିକ ଏବଂ ମାନସିକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଦୀର୍ଘ ୧୮ ମାସ ଜେଲରେ ରହିଥିଲେ ତାରିକ ରହମାନ । ବଂଲାଦେଶ ଛାଡ଼ିଲେ ହିଁ ମୁକ୍ତି ମିଳିବ ବୋଲି ଥିଲା ସର୍ତ୍ତ । ଶେଷର ତାଙ୍କୁ ମୁକ୍ତି ମିଳିଲା କିନ୍ତୁ ସେ ୨୦୦୮ ମସିହାରେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଏବଂ ଆଉ କେବେ ବାଂଲାଦେଶ ଫେରି ନଥିଲେ। ଦୀର୍ଘ ୧୭ ବର୍ଷ ଧରି ବାଂଲାଦେଶରୁ ଦୂରେଇ ଲଣ୍ଡନରେ ରହିଥିଲେ ତାରିକ ରହମାନ । ୨୦୦୮ ମସିହାରେ ଶେଖ୍ ହାସିନା କ୍ଷମତାକୁ ଫେରିବା ପରେ, ବହୁ ସଂଖ୍ୟକ ବିଏନପି ନେତା ଏବଂ କର୍ମୀଙ୍କୁ ଜେଲ ପଠାଯାଇଥିଲା। ପରେ, ୨୦୧୮ ମସିହାରେ, ୨୦୦୪ ମସିହାରେ ହସିନାଙ୍କ ରାଲି ଉପରେ ଆକ୍ରମଣ ଷଡ଼ଯନ୍ତ୍ର ପାଇଁ ତାରିକ୍ ରହମାନଙ୍କୁ ତାଙ୍କ ଅନୁପସ୍ଥିତିରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୨୦୨୪ରେ ଶେଖ ହସିନା ଗାନିଚ୍ୟୁତ ହେବା ସହ ଦେଶ ଛାଡ଼ି ପଳାୟନ କରିଥିଲେ । ଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଗଠନ ହୋଇଥିଲା । ସେପଟେ ବାଂଲାଦେଶୀ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆରମ୍ଭ କରିଥିଲେ ତାରିକ ରହମାନ । ଶେଷରେ ସେ ୨୫ ଡିସେମ୍ବର ୨୦୨୫ରେ ବାଂଲାଦେଶ ଫେରି ଆସିଲେ। ସେ ଫେରିବାର ପାଞ୍ଚ ଦିନ ପରେ, ତାଙ୍କ ମାଆ ଖାଲିଦା ଜିଆଙ୍କ ମୃତ୍ୟୁ ହୋଇଗଲା। ଜାନୁଆରୀ ୯ ତାରିଖରେ ସେ ଆନୁଷ୍ଠାନିକ ଭାବରେ BNPର ନେତା ହେଲେ। ପରିବାରବାଦର ଅଭିଯୋଗ ପୁଣି ଥରେ ମୁଣ୍ଡ ଟେକିଲା । କିନ୍ତୁ ଏହା ସେତେଟା ପ୍ରଭାବ ପକାଇ ପାରିଲା ନାହିଁ। ଆଉ ଏବେ ନିର୍ବାଚନର ଫଳାଫଳ ଆସିଥିବା ବେଳେ, ତାରିକ ରହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।