LIVE TV

ଓଲା ଇଞ୍ଜିନିୟରଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ପାଇଁ ଉସୁକାଇ ଥିବା ସିଇଓଙ୍କ ବିରୋଧରେ ଅଭିଯୋଗ

NEWS7
todays-prediction-174

ନୂଆଦିଲ୍ଲୀ - ଭାରତୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା କମ୍ପାନୀ ଓଲାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ୨୮ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ବରିଷ୍ଠ କର୍ମଚାରୀଙ୍କ ଉପରେ ମାନସିକ ନିର୍ଯାତନା ଏବଂ ଆର୍ଥିକ ଶୋଷଣର ଅଭିଯୋଗ କରିଥିଲେ। ଏହି ମାମଲାରେ, ଯୁବ ଇଞ୍ଜିନିୟରଙ୍କ ଭାଇ କମ୍ପାନୀର ସିଇଓ ଭାବିଶ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଓଲା ପକ୍ଷରୁ ଏକ ବିବୃଦ୍ଧି ମଧ୍ଯ ଜାରି କରାଯାଇଛି। ଓଲା କହିଛି ଯେ, ଅରବିନ୍ଦ ସେମାନଙ୍କ ସହିତ କାମ କରୁଥିଲେ, କିନ୍ତୁ ସେ କେବେ ଚାକିରି କିମ୍ୱା ମାନସିକ ନିର୍ଯାତନା ସମ୍ପର୍କରେ କୌଣସି ଅଭିଯୋଗ କରି ନଥିଲେ।

ଉକ୍ତ ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅରବିନ୍ଦ ୨୦୨୨ ମସିହାରୁ ଓଲାରେ ହୋମୋଲୋଗେସନ ଇଞ୍ଜିନିୟର ଭାବରେ କାମ କରୁଥିଲେ। ସେପ୍ଟେମ୍ବର ୨୮ ତାରିଖରେ ସେ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ବିଷ ପିଇ ଦେଇଥିଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ , ସେମାନେ ତାଙ୍କୁ ଏକ ବିଚଳିତ ଅବସ୍ଥାରେ ପାଇଥିଲେ। ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇ ଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ୱ ହୋଇ ଯାଇ ଥିଲା। ସେହିଦିନ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅରବିନ୍ଦଙ୍କ ମୃତ୍ୟୁ ପରେ, ତାଙ୍କ ଭାଇ ଅଶ୍ୱିନ ଏକ ୨୮ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ପାଇଥିଲେ। ଏଥିରେ ଅରବିନ୍ଦ ତାଙ୍କ ଉପରିସ୍ଥ ଅଧିକାରୀ ସୁବ୍ରତ କୁମାର ଦାସ ଏବଂ ଭାବିଶ ଅଗ୍ରୱାଲଙ୍କ ନାଁରେ କାର୍ଯ୍ୟାଳୟରେ ନିର୍ଯାତନା ଏବଂ ଚାପ ପକାଇବାର ଅଭିଯୋଗ କରିଥିଲେ। ନୋଟ୍‌ରେ ଅରବିନ୍ଦ ଲେଖିଛନ୍ତି ଯେ, ତାଙ୍କୁ ମାନସିକ ଭାବରେ ହଇରାଣ କରାଯାଇଥିଲା ଏବଂ ଦରମା ଓ ଭତ୍ତା ମନା କରାଯାଇ ଥିଲା, ଯାହା ଫଳରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।

NDTVର ରିପୋର୍ଟ ଅନୁସାରେ, ଅଶ୍ୱିନ କହିଛନ୍ତି ଯେ, ଅରବିନ୍ଦଙ୍କ ମୃତ୍ୟୁର ମାତ୍ର ଦୁଇ ଦିନ ପରେ, ତାଙ୍କ ଆକାଉଣ୍ଟକୁ ୧୭,୪୬,୩୧୩ ଟଙ୍କା ଟ୍ରାନ୍ସଫର କରାଯାଇ ଥିଲା। ଏହା ବିଷୟରେ ଯେତେବେଳେ ସେ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ, ଦାସ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ତା'ପରେ ସେ ଅନ୍ୟ ସିନିୟରଙ୍କ ଘରକୁ ଯାଇଥିଲେ, କିନ୍ତୁ କେହି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର କମ୍ପାନୀର ଉଦ୍ଦେଶ୍ୟ ଉପରେ ସନ୍ଦେହ  କରିଥିଲେ। ଏହା ପରେ, ଅଶ୍ୱିନ ଅକ୍ଟୋବର ୬ ତାରିଖରେ ଭାବିଶ ଅଗ୍ରୱାଲ, ଦାସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଇ ଥିଲେ, ସେମାନଙ୍କ ଉପରେ ତାଙ୍କ ଭାଇଙ୍କୁ ହତ୍ୟା କରିବାର ସନ୍ଦେହ କରାଯାଇ ଥିଲା। 

ଏଫଆଇଆରରେ, ଅଶ୍ୱିନ ଅଭିଯୋଗ କରିଥିଲେ ଯେ, ଅରବିନ୍ଦଙ୍କୁ କାର୍ଯ୍ୟାଳୟରେ ନିରନ୍ତର ମାନସିକ ନିର୍ଯାତନା ଦିଆଯାଉ ଥିଲା ଏବଂ ତାଙ୍କ ଉପରିସ୍ଥ ଅଧିକାରୀମାନେ ଏଥିପାଇଁ ସିଧାସଳଖ ଦାୟୀ। ତାଙ୍କ ପରିବାର ଦାସ ଓ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଭିଯୁକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରିଥିଲେ, ଯେଉଁମାନେ ଆତ୍ମହତ୍ୟା ପାଇଁ ଉସୁକାଇ ଥିବା ଅଭିଯୋଗ କରାଯାଇଥିଲା। 

ଅନ୍ୟପଟେ ଏହି ଇଞ୍ଜିନିୟରଙ୍କ ମୃତ୍ୟୁରେ ଓଲା ଏକ ବିବୃତ୍ତି ଜାରି କରି  ଶୋକ ପ୍ରକାଶ କରିଛି। କମ୍ପାନୀ ବିବୃତ୍ତିରେ କହିଛି, ଆମେ ଆମର ସହକର୍ମୀ ଅରବିନ୍ଦଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଆମେ ଦୁଃଖିତ ଏବଂ ଏହି କଷ୍ଟକର ସମୟରେ ତାଙ୍କ ପରିବାର ସ‌ହିତ ଆମର ସମବେଦନା ରହିଛି। କମ୍ପାନୀର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲଙ୍କ ବିରୋଧରେ ଦାୟର ମାମଲାର ଜବାବରେ କମ୍ପାନୀ କହିଛି -,ଓଲା ଇଲେକ୍ଟିକ୍ ଏବଂ ଏହାର ଅଧିକାରଙ୍କ ସପକ୍ଷରେ ସୁରକ୍ଷାମୂଳକ ନିର୍ଦ୍ଦେଶ ଜାରି କରାଯାଇଛି। ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ, କମ୍ପାନୀ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୂର୍ଣ୍ଣ ଏବଂ ଅନ୍ତିମ ପେମେଣ୍ଟ ସୁବିଧା ପ୍ରଦାନ କରିଛି। ଓଲା ଇଲେକ୍ଟିକ୍ ଅଧିକାରୀଙ୍କ ସହ ତାଙ୍କର ଚାଲିଥିବା ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛି ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଏବଂ ସହାୟକ କାର୍ଯ୍ୟସ୍ଥଳ ବଜାୟ ରଖିବା ପାଇଁ ପ୍ରତିବଦ୍ଧ।