ନୂଆଦିଲ୍ଲୀ ୦୬/୦୯: ଭାରତର ପଳାତକ ବ୍ୟବସାୟୀ ବିଦେଶରେ କରୁଛନ୍ତି ଅଏସ । ପଳାୟନ କରିଥିବା ଅର୍ଥନୈତିକ ଅପରାଧୀ ପଳାତକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ଜୋରଦାର କରିଛି ଭାରତ । ଏହାକୁ ତୀବ୍ରତର କରି, ବ୍ରିଟେନର କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (CPS) ର ଏକ ଦଳ ସମ୍ପ୍ରତି ତିହାର ଜେଲ ପରିଦର୍ଶନ କରିଛି । ସୂଚନା ଅନୁଯାୟୀ, ଏହି ଗସ୍ତ ଜୁଲାଇ ମାସରେ ହୋଇଥିଲା । ଯେଉଁଥିରେ ବ୍ରିଟେନର ପାଞ୍ଚ ଜଣ ସଦସ୍ୟ ସାମିଲ ଥିଲେ । ଏହି ଗସ୍ତର ଉଦ୍ଦେଶ୍ୟ ଥିଲା ବ୍ରିଟିଶ କୋର୍ଟଗୁଡ଼ିକୁ ଦେଖାଇବା ଯେ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିବା ଅଭିଯୁକ୍ତମାନେ ତିହାର ଜେଲରେ ଏକ ସୁରକ୍ଷିତ ଏବଂ ଉତ୍ତମ ପରିବେଶ ପାଇବେ।
ପ୍ରକୃତରେ, ନିକଟରେ ବ୍ରିଟିଶ କୋର୍ଟଗୁଡ଼ିକ ତିହାରର ଅବସ୍ଥା ସମ୍ପର୍କରେ ଅନେକ ମାମଲାରେ ଭାରତର ପ୍ରତ୍ୟର୍ପଣ ଆବେଦନକୁ ଖାରଜ କରିଦେଇଥିଲେ । ଏହି କାରଣରୁ, ଭାରତ ସରକାର ବ୍ରିଟେନକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଜେଲରେ କୌଣସି ଅଭିଯୁକ୍ତଙ୍କୁ ମାଡ଼ ମରାଯିବ ନାହିଁ । କିମ୍ବା କୌଣସି ବେଆଇନ ପଚରାଉଚରା ହେବ ନାହିଁ ।
ସିପିଏସ୍ ଦଳ ତିହାରର ଉଚ୍ଚ-ସୁରକ୍ଷା ୱାର୍ଡ ଯାଞ୍ଚ କରିଥିଲେ । ସେଠାରେ ଉପସ୍ଥିତ କଏଦୀମାନଙ୍କ ସହିତ ମଧ୍ୟ କଥା ହୋଇଥିଲେ । ଅଧିକାରୀମାନେ ଦଳକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆବଶ୍ୟକ ହେଲେ, ଜେଲ ପରିସରରେ ଏକ ସ୍ୱତନ୍ତ୍ର "ଏନକ୍ଲେଭ୍" ସୃଷ୍ଟି କରାଯିବ । ଯେଉଁଠାରେ ବିଜୟ ମାଲ୍ୟା, ନୀରବ ମୋଦୀଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅଭିଯୁକ୍ତମାନେ ସୁରକ୍ଷିତ ରହିପାରିବେ।