ବଡ଼ବିଲ: ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। NH 520 ଟୋପାଡିହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ ।
ସୂଚନା ଅନୁଯାୟୀ, ଏମାନେ ଏକ ସ୍କୁଟିରେ ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ଘୋଷାରୀ ନେଇଥିଲା । ଘଟଣାସ୍ଥଳରେ ବାପା ଝିଅଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବାବେଳେ, ମାଆ' ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଅଜଣା ଟ୍ରକ୍ ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ସେପଟେ ରୁଗୁଡ଼ି ଥାନା NH 520 ଗନ୍ଧଲପଦା ଛକ ନିକଟରେ ମଧ୍ୟ ଆଉ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି କୋଇଡ଼ା ଥାନା ସାଗାସାହି ଅଞ୍ଚଳର ଜୟରାମ ସାଇ। ଗୁଆଲି ଠାରେ କାମ କରୁଥିବା କମ୍ପାନିରୁ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗନ୍ଧଲପଦା ଛକ ନିକଟରେ ଏକ ଟ୍ରକ୍କୁ ପଛରୁ ଧକ୍କାଦେଇଥିଲେ। ତେବେ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।