ରେକର୍ଡ ଭାଙ୍ଗୁଛି ଏପ୍ରିଲ ମାସର ତାପମାତ୍ରା, ୧୨ ଦିନ ହେବ ୪୦ ଉପରେ ରାଜଧାନୀର ପାରଦ

Published By : Prameya-News7 Bureau | April 27, 2024 IST

ଭୁବନେଶ୍ୱର ୨୭/୦୪: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ ୧୨ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଉପରେ ରହିଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । 

ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ ୧୪ ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି  ଉଷ୍ମ ଦିନ ସ୍ଥିତି ଲାଗି ରହିବ । ଖାଲି ସେତିକି ନୁହେଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । 

ଯାହା ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରିରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆର୍ଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆବଶ୍ୟକ ନଥିଲେ ଦିନ ୧୧ ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.