ନୂଆଦିଲ୍ଲୀ: କ୍ରିକେଟ୍ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଏକ ଖାସ୍ ଅନୁରୋଧ କରିଛନ୍ତି। ସଚିନ କହିଛନ୍ତି, ଇଂଲଣ୍ଡରେ ଯେଉଁ ଟେଷ୍ଟ ସିରିଜ୍ ଭାରତୀୟ ଦଳ ଖେଳୁଛି ତାର ନାମ ପଟୌଦୀଙ୍କ ନାମରେ ରହିବା ଉଚିତ୍। ବିସିସିଆଇ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମିଶି ଏହି ସିରିଜର ନାଁ ତେନ୍ଦୁଲକର-ଆଣ୍ଡରସନ ସିରିଜ୍ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ସଚିନ ଚାହାନ୍ତି କୌଣସି ବି ପ୍ରକାରେ ପଟୌଦୀଙ୍କ ଇତିହାସକୁ ଜୀବିତ ରଖାଯାଉ।
ପଟୌଦୀ ଟ୍ରଫି ନାମରେ ଏହି ସିରିଜ୍ ଏହି ମହାନ ଖେଳାଳିଙ୍କ ସମ୍ମାନରେ ଖେଳା ଯାଉଛି। ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ଓ ଇଂଲଣ୍ଡ ଉଭୟ ଦଳର ପ୍ରତିନିଧିତ୍ଵ କରୁଥିବା ଏକମାତ୍ର ଖେଳାଳି। କିନ୍ତୁ ବିସିସିଆଇ ଓ ଇସିବି ଜେମ୍ସ ଆଣ୍ଡରସନ ଓ ତେନ୍ଦୁଲକରଙ୍କ ସମ୍ମାନରେ ସିରିଜ୍ର ନାଁ ପଟୌଦୀ ଟ୍ରଫି ବଦଳାଇ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ବୋର୍ଡ ପଟୌଦୀ ପରିବାରକୁ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଥିଲେ। ହେଲେ ଏହି ନିଷ୍ପତ୍ତିରେ ପଟୌଦୀ ପରିବାର ଖୁସି ନାହାନ୍ତି।
ହେଲେ ଏବେ ଖୋଦ୍ ସଚିନ ତେନ୍ଦୁଲକର ବିସିସିଆଇକୁ ଭବିଷ୍ୟତରେ ଭାରତ-ଇଂଲଣ୍ଡ ସିରିଜରେ ପଟୌଦୀଙ୍କ ଲିଗାସିକୁ ଜାରି ରଖିବାକୁ ଅନୁରୋଧ କରିଛନ୍ତି। କ୍ରିକବଜ ଅନୁସାରେ ୫୨ ବର୍ଷୀୟ ତେନ୍ଦୁଲକର ଏହି ମାମଲାରେ ବିସିସିଆଇ ଓ ଇସିବିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେବଳ ଏତିକି ନୁହେଁ ରିପୋର୍ଟରେ ଦାବି କରାଯାଇଛି ଯେ, ସଚିନ ତେନ୍ଦୁଲକରଙ୍କ କଥାରେ ଦୁଇ ବୋର୍ଡ ସହମତି ପ୍ରକାଶ କରିଛନ୍ତି। ଆଇସିସିର ବର୍ତ୍ତମାନ ଅଧ୍ୟକ୍ଷ ତଥା ବିସିସିଆଇର ପୂର୍ବତନ ସଂପାଦକ ଜୟ ଶାହ ମଧ୍ୟ ଏହା ସୁନିଶ୍ଚିତ କରିଛନ୍ତି ଯେ, ତେନ୍ଦୁଲକରଙ୍କ ଅନୁରୋଧ ପୂରା ହେଉ।
ଟ୍ରଫି ନାମକରଣ ସମାରୋହ ଜୁନ ୧୪ରେ ଲର୍ଡ୍ସରେ ଡବ୍ଲ୍ୟୁଟିସ ଫାଇନାଲ୍ ସମୟରେ ଆୟୋଜିତ ହେବାର ଥିଲା। ମାତ୍ର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପୀଡ଼ିତଙ୍କ ସମ୍ମାନରେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ, ପଟୌଦୀ ପଦକ ବିଜେତା ଦଳର ଅଧିନାୟକ କିମ୍ବା ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦିଆଯିବ। ଏମିତି ହେଲେ ପଟୌଦୀଙ୍କ ଲିଗାସି ବି ଜାରି ରହିବ। ୨୦୦୭ରେ ଏହା ଆରମ୍ଭ ହୋଇଥିଲା।